-
ଘର ଘର ଯାଇ ରୋଗୀଙ୍କ ସ୍କ୍ରିନିଂ ଆରମ୍ଭ
ମୁମ୍ବାଇ- ଏସିଆର ସବୁଠୁ ବଡ ବସ୍ତି ଧାରାଭିରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଧାରାଭିରେ ରବିବାର କରୋନାର ୧୫ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩କୁ ବୃଦ୍ଧି ଘଟିଛି । ଏହି ପ୍ରକାରେ ଦାଦରରେ ମଧ୍ୟ ଆଜି ୮ ନୂତନ କୋଭିଡ୍-୧୯ ରୋଗୀ ଚିହ୍ନଟ ହୋଇଛନ୍ତି । ଦାଦରରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ୧୭ରେ ପହଁଚିଛି । ସ୍ୱାସ୍ଥ୍ୟ ବିଭାଗର ଧାରାଭିକୁ ହାଇ ରିସ୍କ କ୍ଷେତ୍ର ଘୋଷିତ କରାଯାଇଛି । ଏହା ସହିତ ଦାଦରର କିଛି ଇଲାକାକୁ ମଧ୍ୟ ସିଲ୍ କରାଯାଇଛି ।
ଧାରାଭିରେ ସ୍ୱାସ୍ଥ୍ୟ ବିଭାଗର ପାଂଚ ଡାକ୍ତରଙ୍କ ଦଳ ଘର ଘର ଯାଇ ସମସ୍ତ ନାଗରିକଙ୍କ ସ୍କ୍ରିନିଂ କରୁଛନ୍ତି । ସାଂସଦ ରାହୁଲ ଶେଭାଲେ ସ୍ୱତନ୍ତ୍ର ଭାବେ ଏହି ଦଳକୁ ସାହାଯ୍ୟ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଆଗାମୀ ୧୦ ଦିନରେ ୧୦ ଲକ୍ଷ ଲୋକଙ୍କୁ ସ୍କ୍ରିନିଂ କରାଯିବାର ଲକ୍ଷ୍ୟ ରଖାଯାଇଛି । ଯାଂଚ ସମୟରେ କରୋନା ଲକ୍ଷଣ ମିଳୁଥିବା ଲୋକଙ୍କୁ ଆଇସୋଲେସନରେ ରଖିବାର ବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁସାରେ ଧାରାଭିରେ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ମରକଜ ଜମାତରେ ସାମିଲ ଦୁଇ ଜମାତି ଛପି ରହିଥିଲେ । ଏହି ଲୋକଙ୍କୁ କରୋନା ପଜିଟିଭ୍ ହେବା ପରେ ପୋଲିସ୍ ସେମାନଙ୍କୁ ଧରି କ୍ୱାରେନଟାଇନରେ ରଖିଛି । ଏହି ଦୁଇ ଜମାତିଙ୍କ କାରଣରୁ ଧାରାଭିର ବାଲିଗାନ ନଗର, ପିଏମପିଜି କଲୋନୀ, ମୁକୁନ୍ଦ ନଗର ଆଦି ଇଲାକାରେ କରୋନା ବ୍ୟାପିଛି ।
ଏହି ପରି ଦାଦରର ସୁଶ୍ରୁଷା ହସ୍ପିଟାଲରେ ଦୁଇ ଜଣ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହିତ ହସ୍ପିଟାଲର ୨୮ କର୍ମଚାରୀଙ୍କୁ ମଧ୍ୟ କ୍ୱାରେନଟାଇନରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଆଜି ଛଅ ଜଣଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ସେମାନଙ୍କର ନମୂନା ଯାଂଚ ପାଇଁ ଲ୍ୟାବ୍ ପଠାଯାଇଛି । ଏହି ପରି ଦାଦରରେ କରୋନା ପଜିଟିଭ୍ ସଂଖ୍ୟା ୧୭କୁ ବୃ୍ଦ୍ଧି ଘଟିଛି ।