-
୨ମେଡିକାଲ ଷ୍ଟୋର୍ ସିଲ୍
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମରେ ୨ଦିନରେ ୫୮୨୯୬ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା(ସ୍କ୍ରିନିଂ) କରାଯାଇଛି । ଏମାନଙ୍କ ଭିତରେ ୪୩୮୪୧ଜଣ ମହିଳା ଓ ପୁରୁଷ ରହିଛନ୍ତି । ମହିଳା ସଂଖ୍ୟା ୨୨୨୬୧ ରହିଥିବା ବେଳେ ୨୧୫୮୦ ପୁରୁଷ ରହିଛନ୍ତି । ସେହିପରି ୭୨୨୬ଜଣ ନାବାଳକ ଓ ୭୨୨୯ ନାବାଳିକା ମୋଟ ୧୪୪୫୫ଜଣ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି । ସ୍କ୍ରିନିଂ କାର୍ଯ୍ୟକ୍ରମରେ ପ୍ରଥମେ ବସ୍ତି ଅଞ୍ଚଳକୁ ପ୍ରାଧାନ୍ୟ ଦିଆଯାଇଛି । ଆସିକା ରୋଡ଼, ଗୁଡ୍ସେଡ୍ ରୋଡ଼, ଖୋଡ଼ାସିଙ୍ଗି, ଆମ୍ବପୁଆ, ଏସ୍ଏନ୍ଟି ରୋଡ଼, ବୈକୁଣ୍ଠନଗର, ଉତ୍ତରାମୁଖୀ ସାହି, ଆଗାସାହି ଅଞ୍ଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ସରିଥିବା ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବିଏମ୍ସିରେ ୧୮ଟି ଟିମ୍ କାର୍ଯ୍ୟ କରୁଛନ୍ତି । ସେମାନେ ପ୍ରତ୍ୟେକ ଦିନ ସବୁ ଅଞ୍ଚଳକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଦେଶ ଫେରନ୍ତା, କ୍ୱାରେଣ୍ଟାଇନ୍ରେ ରହିଥିବା ଲୋକ ଏବଂ ଅନ୍ୟ ରାଜ୍ୟରୁ ଫେରିଥିବା ଲୋକଙ୍କ ସମ୍ପର୍କରେ ମଧ୍ୟ ପଚରାଉଚରା କରୁଛନ୍ତି । ଘର ନିକଟରେ ସବୁ ସେବା ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି । କୌଣସି ବ୍ୟକ୍ତି ଅଯଥାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ ଏବଂ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି କମିଶନର ରାଠୋର । ବିଏମ୍ସି ଅଞ୍ଚଳରେ ରହିଥିବା ପ୍ରାୟ ୧୭୫ଟି ବସ୍ତିରେ ବିଏମ୍ସି ପକ୍ଷରୁ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଟ୍ ସିଞ୍ଚନ କରାଯାଇଛି । ୧୦ଜଣ ବ୍ୟକ୍ତି ଏଥିପାଇଁ ନିୟୋଜିତ ହୋଇଛନ୍ତି । ସେମାନେ କାନ୍ଧରେ ମେସିନ୍ ଧରି ବିଶୋଧକ ସିଞ୍ଚନ କରୁଛନ୍ତି । ବସ୍ତି ଅଞ୍ଚଳରେ ସିଞ୍ଚନ ପକ୍ର୍ରିୟା ସରିଥିବା ବେଳେ ବର୍ତ୍ତମାନ ସବୁ ୱାର୍ଡରେ ସିଞ୍ଚନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିଏମ୍ସି ନିର୍ଦ୍ଦେଶ ପ୍ରକାରେ ଶନିବାର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ସହ ସିଟି ହସ୍ପିଟାଲ୍ ଏବଂ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ କୋଭିଡ୍ ୱାର୍ଡରେ ବିଶୋଧକ ସିଞ୍ଚନ କରାଯାଇଛି ।
ଅତ୍ୟାବଶ୍ୟକୀୟ ସାମଗ୍ରୀ ଔଷଧ, ରାସନ, କ୍ଷୀର ଓ ଅନ୍ୟାନ୍ୟ ସାମାଗ୍ରୀ ଦୋକାନ ଖୋଲିବା ସମୟରେ ମାସ୍କ ପିନ୍ଧିବାକୁ ଦୋକାନୀଙ୍କୁ କୁହାଯାଇଛି ଏବଂ ବ୍ୟବସାୟ ସମୟରେ ସାମାଜିକ ଦୂରତ୍ୱ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମ୍ସି ପକ୍ଷରୁ ବାରମ୍ବାର ତାଗିଦ୍ କରିବା ପରେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ । ଶନିବାର ୨ଟି ଔଷଧ ଦୋକାନ ସାମାଜିକ ଦୂରତ୍ୱ ରଖିନଥିବାରୁ ସିଲ୍ କରାଯାଇଛି । ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ଆଗରେ ଥିବା ବୈଦ୍ୟନାଥ ମେଡ଼ିକାଲ ଷ୍ଟୋର ଓ ସିଟି ହସ୍ପିଟାଲ୍ ରୋଡ଼ରେ ଥିବା ଦିନବନ୍ଧୁ ଫାର୍ମାସୀ ସିଲ୍ କରାଯାଇଥିବା କମିଶନର ସୂଚନା ଦେଇଛନ୍ତି । ତେବେ ଲକ୍ଡାଉନ୍ ପରେ ୨୦ଦିନ ହେଲା ସମସ୍ତ ଦୋକାନ ବନ୍ଦ ରହିଛି । ସବୁ ଦୋକାନରେ ତାଲା ପଡିଛି । ୨୦ଦିନ ହେଲା ଦୋକାନକୁ ମାଲିକ ଯାଇନାହାନ୍ତି ଏବଂ ସେଠାରେ କ’ଣ ହେଉଛି ଜାଣିନାହାନ୍ତି । ଜିନିଷ ଅଛି ନା ନାହିଁ ଏବଂ ମୂଷା କି ଅସରପା କିଛି ନଷ୍ଟ କରିଛନ୍ତି ଜାଣିବା ମାଲିକଙ୍କ ପକ୍ଷେ କଷ୍ଟକର ହୋଇଛି । କେତେକ ଦୋକାନରେ ସଟ୍ ସର୍କିଟ୍ ହେବା ସମ୍ଭାବନା ମଧ୍ୟ ରହିଛି । କିଛି ଦୋକାନ ମାଲିକ ଏ ସମ୍ପର୍କରେ ବିଏମ୍ସିକୁ ଜଣାଇବା ପରେ ବିଏମ୍ସି ସମସ୍ତ ଦୋକାନ ମାଲିକଙ୍କୁ ଦୋକାନ ଖୋଲି ସ୍ଥିତି ଯାଞ୍ଚ କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ବ୍ୟବସାୟ କରିପାରିବେ ନାହିଁ । ଦିନ ୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ଖୋଲି ସ୍ଥିତି ଯାଞ୍ଚ କରିବେ । ଯଦି କୌଣସି ଲୋକ ବ୍ୟବସାୟ କରୁଥିବା ଜଣାଯାଏ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି । ତେବେ ସବୁ ଦୋକାନ ଖୋଲି ପାରିବେ ନାହିଁ । ଯେଉଁ ମାର୍କେଟ୍କୁ ଅନୁମତି ମିଳିବ ସେହି ମାର୍କେଟ୍ରେ ହିଁ ଦୋକାନ ଖୋଲି ମାଲିକ ସ୍ଥିତି ଦେଖିବେ । ସିଟି ମଲ୍, କେକେ କମ୍ପେ୍ଲକ୍ସ ଓ ଟେଲିଫୋନ୍ ଭବନ ରୋଡ଼ରେ ଥିବା ୪୭ଟି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏହାପୂର୍ବରୁ ଅନ୍ନପୂର୍ଣ୍ଣା ମାର୍କେଟ୍ରେ କେତେକ ଦୋକାନ ଖୋଲି ସ୍ଥିତି ଯାଞ୍ଚ କରିବାକୁ ଅନୁମତି ପାଇଥିଲେ ।