
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଖରିଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣାକ୍ରମରେ ପିଲାଙ୍କ କ୍ରିକେଟ୍ ଖେଳରୁ ବଚସା ହୋଇ ଜଣେ ନାବାଳକଙ୍କ ବ୍ୟାଟ ମାଡରେ ଅନ୍ୟଜଣେ ନାବାଳକ ସାଙ୍ଗଙ୍କ ମୃତ୍ୟୁ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ପ୍ରକାରେ, ମୃତ ନାବାଳକ ହେଲେ ବିଭୁ ସେଠୀ(୧୪) । ସେ ହିଞ୍ଜିଳିକାଟୁ ବ୍ଲକ୍ ଶାସନଆମ୍ବଗାଁ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର । ସେ ମା’ବାପାଙ୍କ ଏକମାତ୍ର ପୁଅ ଥିବାବେଳେ ଏହିପରି ଘଟଣାପରେ ତାଙ୍କ ପରିବାରରେ ଶୋକରଛାୟା ଖେଳିଯାଇଛି । ଖବରରୁ ପ୍ରକାଶ ଯେ, କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ୍ ଓ ୧୯ଘଣ୍ଟିଆ ସଡ୍ ଡାଉନ୍ ବଳବତ୍ତର ଥିବାବେଳେ ଶନିବାର ପୂର୍ବାହ୍ନରେ ଖରିଡା ଗ୍ରାମର କିଛି ନାବାଳକ ଗ୍ରାମ ନିକଟ ପଡିଆରେ କ୍ରିକେଟ୍ ଖେଳୁଥିଲେ । କ୍ରିକେଟ୍ ଖେଳରୁ ବିଭୁଙ୍କ ସହ ଅନ୍ୟଜଣେ ନାବାଳକଙ୍କ ବଚସା ହୋଇଥିଲା । ଫଳରେ ନାବାଳକଜଣକ ବ୍ୟାଟରେ ବିଭୁଙ୍କୁ ଆକ୍ରମଣ କରିବାପରେ ବ୍ୟାଟଟି ବିଭୁଙ୍କ କାନ ପାଖରେ ବାଜିବାରୁ ସେ ଅଚେତ ହୋଇପଡିଥିଲେ । ପରେ ଖବରପାଇ ପରିବାର ଓ ଗ୍ରାମବାସୀ ବିଭୁକୁ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବିଭୁଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ବିଡିଓ ପ୍ରସନ୍ନ କୁମାର ପାତ୍ର, ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନ, ଥାନାଧିକାରୀ ଅଭିମନ୍ୟୁ ଦାସ, ତହସିଲଦାର ଗୋପୀନାଥ କହଁର ପ୍ରମୁଖ ଡାକ୍ତରଖାନାରେ ପହଞ୍ôଚ ମୃତ ନାବାଳକର ଶରୀରକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ । ମୃତ ନାବାଳକ ବିଭୁଙ୍କ ଜେଜେବାପାଙ୍କ ଅଭିଯୋଗକ୍ରମେ ଥାନା କେଶ୍ ନମ୍ବର ୧୧୩/୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ନାବାଳକକୁ ପୋଲିସ ଗ୍ରାମରୁ ଆଣି ଥାନାରେ ଅଟକ ରଖିଥିବା ବେଳେ ଆକ୍ରମଣରେ ବ୍ୟବହୃତ ବ୍ୟାଟକୁ ଜବତ କରିଛି । ଏହି ଘଟଣାଟି ସାରା ଜିଲ୍ଲାରେ ଶନିବାର ଶୋକରଛାୟା ଖେଳାଇ ଦେଇଛି ।