
ବ୍ରହ୍ମପୁର: ଶନିବାର ସକାଳୁ ବିଶାଖପାଟଣା ରେଳ ଷ୍ଟେଶନ୍ରୁ ସ୍ୱତନ୍ତ୍ର ପାର୍ସଲ ଟ୍ରେନ୍ ଏକ୍ସପ୍ରେସ୍ ଦ୍ୱାରା ବହୁ ଔଷଧ କାଟୁନ୍ ବୋଝେଇକରି ଆନ୍ଧ୍ରର ପାଲାସା, ବ୍ରହ୍ମପୁର, ବଲାଙ୍ଗୀର, ବରଗଡ, ସମ୍ବଲପୁର, ରାୟଗଡା ଆଦି ଷ୍ଟେଶନ୍ରେ ଔଷଧ କାର୍ଟୁନଗୁଡିକୁ ଓହ୍ଲାଯାଇଛି । ଏହା ବ୍ୟତୀତ କେସିଙ୍ଗାରେ ମେଡିକାଲ୍ ଯନ୍ତ୍ରପାତି ମଧ୍ୟ ଓହ୍ଲାଯାଇଛି । ସେହିପରି ବିଶାଖପାଟଣା ରେଳ ଷ୍ଟେଶନ୍ରୁ ଦୁଗ୍ଧ ପାଉଡର ଏବଂ ଅନ୍ୟାନ୍ୟ ଔଷଧ ସାମଗ୍ରୀ ବୋଝେଇକରି ବ୍ରହ୍ମପୁର ରେଳ ଷ୍ଟେଶନ୍ରେ ପହଞ୍ଚାଯାଇଛି । ସେହିପରି ବିଜୟନଗରମ୍ରୁ ପଇଡ ବୋଝେଇକରି ବଲାଙ୍ଗୀର ଓ ଟିଟିଲାଗଡରେ ପହଞ୍ଚାଯାଇଥିବା ବେଳେ ବିଜୟନଗରମ୍ରୁ ଗ୍ରୋସରୀ ସାମଗ୍ରୀ ବୋଝେଇକରି ରାୟଗଡା ଷ୍ଟେଶନ୍ ଠାରେ ପହଞ୍ଚାଯାଇଛି । ଭାରତର ଖାଦ୍ୟ ନିଗମ ଦ୍ୱାରା ୩୩୬୪ଟନ୍(୬୫୮୯୮ ବ୍ୟାଗ୍) ଗହମ ୫୮ଟି ବଗିରେ ମଧ୍ୟପ୍ରଦେଶର ଗର୍ହା ଷ୍ଟେଶନ୍ରୁ ବୋଝେଇକରି କଟକ ଷ୍ଟେଶନ୍ରେ ଓହ୍ଲାଯାଇଥିବା ଜଣାପଡିିଛି । ମହାମାରୀ କରୋନା ସଂକ୍ରମଣ ଫଳରେ ସାରା ଦେଶରେ ତାଲା ବନ୍ଦ ହୋଇଥିବା ବେଳେ ଭାରତୀୟ ରେଳପଥ ବାଧାହୀନ ଭାବେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ପରିବହନକରି ଦେଶର ବିଭିନ୍ନ ପ୍ରାନ୍ତରେ ପହଞ୍ଚାଇବାର ଗୁରୁଦାୟୀତ୍ୱ ବହନ କରିଛି । ଏହାକୁ ସାକାର କରିବାକୁ ଅବିରାମ ଗତିରେ ମାଲ୍ବାହୀ ଟ୍ରେନ୍ ଓ ପାର୍ସଲ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି । ଭାରତୀୟ ରେଳପଥ ଖାଦ୍ୟ ଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ, ପନିପରିବା, ଦୁଗ୍ଧ, ଜାଳେଣି ତୈଳ, ଚିନି, ଲୁଣ ଓ ଔଷଧ ଇତ୍ୟାଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ଜାରି ରଖିଛି । ଆପଣ ଘରେ ରୁହନ୍ତୁ-ସୁରକ୍ଷିତ ରୁହନ୍ତୁ ଆମେ ଆପଣଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବୁ ଭଳି ଅବଧାରଣାକୁ ସଫଳ କରିବାକୁ ପୂର୍ବତଟ ରେଳପଥ ସଙ୍କଳ୍ପବଦ୍ଧ ବୋଲି ଏକ ପ୍ରେସ୍ ବିବୃତ୍ତିରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି ।