ବ୍ରହ୍ମପୁର: ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ କୁମାର ପାଢ଼ିଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟଳୟ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିବା ପରେ ସେ ବିଚାର ବିଭାଗୀୟ ହାଜତରେ ରହିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କୁ ଛଡ଼ାଯାଇଛି । ସମ୍ପତ୍ତି ଆୟ ବହିର୍ଭୂତ ନାହିଁ ବୋଲି ଯନ୍ତ୍ରୀ ପାଢ଼ି ହାଇକୋର୍ଟରେ ଦାଖଲ କରିଥିବା ଜାମିନ୍ ପିଟିସନ୍ରେ ଦର୍ଶାଇଛନ୍ତି । ବେଲ୍ ପିଟିସନ୍ ନମ୍ବର ବିଏଲ୍ଏଜି୨୩୨୨/୧୩.୦୩.୨୦୨୦ରେ ସେ ଦର୍ଶାଇଛନ୍ତି ଯେ, ଭିଜିଲାନ୍ସ ସମ୍ପତ୍ତି ଆକଳନ କରିଛି କିନ୍ତୁ ଠିକ୍ ଭାବେ ତାଙ୍କ ଆୟକୁ ହିସାବ କରିନାହିଁ ଏବଂ ଆୟ ବର୍ହିଭୁତ ସମ୍ପତ୍ତି ଦେଖାଇଛି । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ଜାମିନ୍ ନାମଞ୍ଜୁର ହେବା ପରେ ମାର୍ଚ୍ଚ ୧୩ ତାରିଖରେ ଆଇନଜୀବୀ ଦୟାନନ୍ଦ ମହାପାତ୍ରଙ୍କ ଜରିଆରେ ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ଯନ୍ତ୍ରୀ ପାଢ଼ି ପିଟିସନ୍ରେ ଦର୍ଶାଇଥିଲେ ଯେ, ଭିଜିଲାନ୍ସ କେବଳ ତାଙ୍କ ସମ୍ପତ୍ତି ଆକଳନ କରିଛି କିନ୍ତୁ ତାଙ୍କର ଆୟକୁ ସଠିକ୍ ଭାବେ ଆକଳନ କରିନାହିଁ । ଗଞ୍ଜାମ, ବ୍ରହ୍ମପୁର ପୁରୁଣା ବସ୍ଷ୍ଟାଣ୍ଡ, ଭୁବନେଶ୍ୱରରେ ତାଙ୍କ ସ୍ତ୍ରୀ ଓ ତାଙ୍କ ନାମରେ ଥିବା କୋଠା ଓ ଦୋକାନ ଘରର ଭଡ଼ା ବାବଦରେ ବାର୍ଷିକ ୧୩ ଲକ୍ଷ ୪୨ହଜାର ରୋଜଗାର ହୁଏ । ଦୀର୍ଘ ୨୪ବର୍ଷ ମଧ୍ୟରେ ୨କୋଟି ଟଙ୍କା ଭଡ଼ା ଆଦାୟ କରିଛନ୍ତି । ଭିଜିଲାନ୍ସ ବିଭାଗ ମାତ୍ର ୨୦ଲକ୍ଷ ଟଙ୍କା ଭଡ଼ା ବାବଦରେ ଦେଖାଇଛି । ଶହେ ଭରଣ ପୈତୃକ ଜମିରୁ ୨୪ବର୍ଷରେ ୫୦ଲକ୍ଷ ଟଙ୍କା ରୋଜଗାର ହୋଇଥିବା ବେଳେ ଭିଜିଲାନ୍ସ ମାତ୍ର ୫ଲକ୍ଷ ଟଙ୍କା ହିସାବ ଦେଖାଇଛି, ତାଙ୍କ ଦରମା ବାର୍ଷିକ ୧.୫୦କୋଟି ଟଙ୍କା ହୋଇଥିବା ବେଳେ ମାତ୍ର ୯୦ଲକ୍ଷ ଟଙ୍କା ହିସାବ ଦେଖାଇଛି ଭିଜିଲାନ୍ସ । ଯନ୍ତ୍ରୀ ପାଢ଼ିଙ୍କ ପୁଅ ଲଣ୍ଡ ସିଟି ବ୍ୟାଙ୍କରେ ୨୦୧୪ରୁ ଚାକିରି କରୁଥିବା ଭିଜିଲାନ୍ସ ଦର୍ଶାଇଛି । ତାଙ୍କ ପୁଅଙ୍କ ନାମରେ ବ୍ୟାଙ୍କରେ ଥିବା ଜମାକୁ ସମ୍ପତ୍ତି ତାଲିକାରେ ନିଆଯାଇଛି କିନ୍ତୁ ତାଙ୍କ ପୁଅ ୫ବର୍ଷରେ ୩କୋଟି ଟଙ୍କା ଦରମା ପାଇଛନ୍ତି ତାହାର ହିସାବ କରାଯାଇ ନାହିଁ ବୋଲି ସେ ପିଟିସନ୍ରେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ଯନ୍ତ୍ରୀ ପାଢ଼ିଙ୍କ ନାମରେ ୨କୋଟି ଟଙ୍କାର ଲୋନ୍ ରହିଥିବା ବେଳେ ତାହା ମଧ୍ୟ ହିସାବକୁ ନିଆଯାଇନଥିଲା ବୋଲି ସେ ଦର୍ଶାଇଛନ୍ତି । ଯନ୍ତ୍ରୀ ପାଢ଼ିଙ୍କୁ ପଚାରିବାରେ ସେ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଥିଲା । ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟଳୟ ନ୍ୟାୟ ଦେଇଛନ୍ତି । ଭିଜିଲାନ୍ସ ବିଭାଗ ହିସାବ କରିଥିବା ସମ୍ପତ୍ତି ତାଲିକା ଠାରୁ ଯଥେଷ୍ଟ ଅଧିକ ରୋଜଗାର ରହିଛି । କିନ୍ତୁ ସେହି ରୋଜାଗାରକୁ ଦେଖାଯାଇନାହିଁ ବୋଲି ସେ କହିଛନ୍ତି । ଅଧୀକ୍ଷଣ ଯନ୍ତ୍ରୀଙ୍କ ବାସଭବନ ସହ ସମ୍ପର୍କୀୟଙ୍କ ଘର ୧୨ଟି ଜାଗାରେ ଚଢ଼ାଉ କରି ୫, ୧୨, ୯୭, ୯୬୩ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ୩, ୮୭, ୪୬, ୯୮୯ ଟଙ୍କା ଆୟ ବହିର୍ଭୁତ ସମ୍ପତ୍ତି ରହିଥିବା ଅଭିଯୋଗରେ ଭିଜିଲାନ୍ସ ଯନ୍ତ୍ରୀ ପାଢ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଗିରଫ ଉଦ୍ଦେଶ୍ୟମୂଳକ ଥିଲା ଏବଂ ତାଙ୍କର ଆୟକୁ ହିସାବକୁ ନିଆଯାଇନଥିଲା ବୋଲି ଅଭିଯୋଗ ଆଣିଛନ୍ତି ଯନ୍ତ୍ରୀ ପାଢ଼ି ।