ଆନନ୍ଦପୁର– ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗା ବାଡ଼ିରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଡ଼ିହା ପଚାଂୟତର ଶିକାବେଡ଼ା ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକଙ୍କ ନାମ ଡିବାର ପୂର୍ତି ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଗତକାଲି ସଂନ୍ଧ୍ୟାରେ ଡିବାର ପୂର୍ତି ନିଜ ଘର ନିକଟରେ ଥିବା ସମ୍ପର୍କୀୟଙ୍କ ଦୋକାନକୁ କିଛି ଜିନିଷ ଆଣିବାକୁ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା । ଏହି ଝଗଡ଼ା ପରବର୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ଉତେଜିତ ହୋଇ ୫ ଜଣ ଲୋକ ସଂଘବଦ୍ଧ ଭାବେ ଠେଙ୍ଗା ବାଡ଼ି ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଆଜି ସକାଳେ ପୋଲିସ ସେଠାରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ଆନନ୍ଦପୁର ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।