

ପୁରୀ– ମହାପ୍ରଭୁଙ୍କ ତିନି ରଥ ନିର୍ମାଣ ପାଇଁ ଶନିବାର ସକାଳୁ ନୟାଗଡ଼ ବନଖଣ୍ଡରୁ ୪୨ ଖଣ୍ଡ ଧଉରା ଓ ଅସନ କାଠ ଟ୍ରକ୍ ଯୋଗେ ରଥ ଖଳାରେ ଆସି ପହଂଚିଛି । ସରସ୍ୱତୀ ପୂଜା ଠାରୁ ଆଜି ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ରଥ କାଠ ରଥ ଖଳାରେ ପହଂଚିଛି । ଚଳିତ ମାସ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ତିନି ରଥ ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ଅନୁକୂଳ ହେବ । ଗତ ୨ ତାରିଖ ଶ୍ରୀରାମ ନବମୀ ଅବସରରେ କଟକ ଖପୁରିଆ ସ ମିଲ୍ ରେ ରଥ କାଠ ଚିରଟ ଅନୁକୂଳ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ତୁମ୍ବ ନିର୍ମାଣ ହେବ । ତୁମ୍ବରେ ଲାଗିଥିବା ଅର ଓ ପହି ପ୍ରଥମେ ସ ମିଲ୍ ରୁ ଚିରଟ ହୋଇ ରଥ ଖଳାକୁ ଆସିବ । ଏହା ଆସିବା ପରେ ତିନି ରଥର ୪୨ ଟି ଚକ ନିର୍ମାଣ କରାଯିବ ।
ରଥ କାଠ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୪ ଖଣ୍ଡ, ତୃତୀୟ ପର୍ଯ୍ୟାୟରେ ୨୧ ଖଣ୍ଡ ଓ ଚତୁର୍ଥ ପର୍ଯ୍ୟାୟରେ ତୁମ୍ବ ନିର୍ମାଣ ପାଇଁ ୮ ଖଣ୍ଡ ଫାସୀ କାଠ ଆସିଥିଲା । ଆଜି ପଚଂମ ପର୍ଯ୍ୟାୟରେ ୪୨ ଖଣ୍ଡ କାଠ ମିଶି ସମୁଦାୟ ୧୭୫ ଖଣ୍ଡ କାଠ ରଥଖଳାରେ ପହଂଚି ସାରିଲାଣି । ତିନି ରଥର ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକ ହୋଇଥାଏ । ଗତ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୯୩ ଖଣ୍ଡ କାଠ ବଳକା ରହିଥିଲା । ତେଣୁ ଚଳିତ ବର୍ଷ ୬୭୨ ଖଣ୍ଡ ରଥ କାଠ ଆବଶ୍ୟକ ହେଉଛି । ସେଥିମଧ୍ୟରୁ ୧୭୫ ଖଣ୍ଡ କାଠ ପହଂଚି ସାରିଲାଣି । ଆଉ ୪୯୭ ଖଣ୍ଡ କାଠ ବିଭିନ୍ନ ପର୍ଯ୍ୟାୟରେ ରଥ ଖଳାରେ ପହଂଚିବ ବୋଲି ଜଣାପଡିଛି ।
ଆସନ୍ତା ଜୁନ୍ ୨୩ ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ଜୁନ୍ ୨୧ ରେ ନେତ୍ରୋତ୍ସବ ଅବସରରେ ରଥଖଳାରୁ ତିନି ରଥ ନିର୍ମାଣ ହୋଇ ସିଂହଦ୍ୱାରରେ ଲାଗିବ । ହେଲେ କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଥିବାରୁ ଅକ୍ଷୟ ତୃତୀୟା ଦିନ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ କିଭଳି ସାମାଜିକ ଦୂରତ୍ୱ ରକ୍ଷା କରି ଆରମ୍ଭ ହେବ ତାକୁ ନେଇ ଚିନ୍ତାରେ ପଡିଛି ଶ୍ରୀ ମନ୍ଦିର ପ୍ରାଶାସନ ।