ଭୋପାଳ– ମଧ୍ୟ ପ୍ରଦେଶରେ କରୋନା ଭାଇରସ୍ ଗତ ପାଂଚ ଦିନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହାର ଗତି ତୀବ୍ର ହେବାରେ ଲାଗିଛି, ଯଦି ଏମିତି ଅବସ୍ଥା ଆଉ କିଛି ଦିନ ଜାରି ରହେ ତେବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ପାର କରିଯିବ । ଶୁକ୍ରବାର ରାତି ସୁଦ୍ଧା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୮୩କୁ ବୃଦ୍ଧି ଘଟିଛି । ଏବେ ଆହୁରି ଅନେକ ରିପୋର୍ଟ ଆସିବା ବାକି ରହିଛି । ଲାଗୁଛି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ପହଁଚି ସାରିଛି । ଅନ୍ୟପଟେ ରାଜ୍ୟରେ ଏହି ମହାମାରୀରେ ୪୦ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ ସବୁଠୁ କରୋନାର ପ୍ରଭାବ ଇନ୍ଦୋର ଓ ଭୋପାଳ ସହରରେ ଦେଖିବାକୁ ମିଳିଛି । ଏହି ଦୁଇଟି ସହରରେ ଚିହ୍ନଟ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବାକି ୧୮ ଜିଲ୍ଲାର ରୋଗୀଙ୍କଠୁ ଅଧିକ ରହିଛି । ଭୋପାଳରେ ଶୁକ୍ରବାର ରାତି ସୁଦ୍ଧା ୨୨ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ସବୁଠୁ ବଡ ଚିନ୍ତାର ବିଷୟ ଏହା ଯେ, ସ୍ୱାସ୍ଥ୍ୟ ବିଭାଗର ସଂଚାଳନ ପରେ ଏବେ କୋଭିଡ୍-୧୯ ପାଇଁ ହୋଇଥିବା ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ ପର୍ଯ୍ୟନ୍ତ କରୋନା ପହଁଚି ଯାଇଛି । ଶୁକ୍ରବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ତିନି ଜଣ ଡାକ୍ତର ଅଛନ୍ତି ।
ଏହି ପରି ଏକାକୀ ଭୋପାଳରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୨୧କୁ ବୃ୍ଦ୍ଧି ଘଟିଛି । ଏଥି ସହ ଏକ ଦୁଇ ବର୍ଷର ବାଳକ ସଂକ୍ରମିତ ହୋଇଛି ଯାହା ରାଜ୍ୟର ସବୁଠୁ କମ ବୟସର ଆକ୍ରାନ୍ତ ମାମଲା ଅଟେ । ବାଳକଟି ଉପ ସଂଚାଳକ ସ୍ୱାସ୍ଥ୍ୟ ଡ. ସୌରଭ ପୁରୋହିତଙ୍କ ପୁତ୍ର । ଏହାପରେ ଭୋପାଳରେ ସ୍ୱାସ୍ଥ୍ୟ ବିଭାଗର ଅଧିାକରୀ ଓ କର୍ମଚାରୀ ସତେତ ପରିବାରଜନ ସଂକ୍ରମିତ ସଂଖ୍ୟା ୭୪ରେ ପହଁଚିଛି । ଅନ୍ୟପଟେ ୨୦ ଜମାତି, ୧୬ ପୋଲିସକର୍ମୀ ଓ ୧୧ ଅନ୍ୟ ଲୋକ କରୋନାରେ ଆକ୍ରାନ୍ତ ଅଛନ୍ତି ।
ରାଜ୍ୟର ରାଜଧାନୀ ଭୋପାଳ ପରି ଆର୍ଥିକ ରାଜଧାନୀ ଇନ୍ଦୋରରେ ମଧ୍ୟ କରୋନା ସ୍ଥିତି ଶୋଚନୀୟ ରହିଛି । ଗତ ୨୪ ଘଂଟାରେ ଏଠାରେ କରୋନା ଭାଇରସରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତ୍ରିରେ ଜାରି ରିପୋର୍ଟ ଅନୁଯାୟୀ ଆଉ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଇନ୍ଦୋରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃ୍ଦ୍ଧି ଘଟିଛି । ଏହା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଚାରି ଜଣ ପ୍ରାଣ ହରାଇଥିଲେ ।
ଡ. ଜଡିଆ କହିଛନ୍ତି ଯେ, ଗତ ୨୪ ଘଂଟାରେ ୧୪ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪୯କୁ ବୃଦ୍ଧି ଘଟିଛି । ଇନ୍ଦୋରରେ ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଦେଶରେ ସବୁଠୁ ଅଧିକ । ୧୭୬ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ୧୩ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।
ଉଲ୍ଲେଖନୀୟ ଯେମିତି ଯେମିତି ଲକଡାଉନ ଅବଧି ଶେଷ ହେବାକୁ ଯାଉଛି, ରାଜ୍ୟରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେତେ ଅଧିକ ଟେଷ୍ଟ କରାଯାଉଛି ସେହି ପରିମାଣରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଂକ୍ରମଣ ଏବେ ୨୦ ଜିଲ୍ଲା ପର୍ଯ୍ୟନ୍ତ ପହଁଚି ଯାଇଛି । ଏହି କାରଣରୁ ଲକଡାଉନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଯିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଏହି ଦିଗ ପ୍ରତି ସଙ୍କେତ ଦେଇ ସାରିଛନ୍ତି । ଶୁକ୍ରବାର ଏଠାରେ ଯେଉଁ ଭଳି ସ୍ଥିତି ଦେଖିବାକୁ ମିଳିଛି ଶନିବାର ସେଥିରେ ସୁଧାର ଆସିବାର ସମ୍ଭାବନା କମ ରହିଛି ।