ସମ୍ବଲପୁର– ସମ୍ବଲପୁର ଜିଲ୍ଲାରେ ରବି ବା ଡ଼ାଳୁଅ ଫସଲର ଧାନ ଚାଷ ସୁରୁଖୁରୁରେ ଚାଲିଛି । ଜିଲ୍ଲାର ଧନକଉଡ଼ା ଏବଂ ମାନେଶ୍ୱର ବ୍ଲକ ଓ ରେଙ୍ଗାଲି ବ୍ଲକର କିଛି ଇଲାକାର ୧୪ ହଜାର ୬୩୦ ହେକ୍ଟର ଜମିର ଡ଼ାଳୁଅ ଫସଲର ଧାନ ଚାଷ କରାଯାଇଛି । ଲକ୍ ଡ଼ାଉନ ଘୋଷଣା ହେବା ପୂର୍ବରୁ ତଳି ରୋପଣ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲା । ବିଲର ଫସଲ ମଧ୍ୟ ସୁନ୍ଦର ଦିଶୁଛି । ବର୍ତମାନ ସମୟର ରୋଗ ପୋକ ପ୍ରାଦୁର୍ଭାବ ବିଶେଷ ଭାବର ପରିଲକ୍ଷିତ ହେଉନଥିବାରୁ ଭଲ ଅମଳର ଆଶାରେ ଚାଷୀ ମାନେ ରହିଛନ୍ତି । କଟକଣା ଯୋଗୁ କୀଟନାଶକ ଏବଂ ସାର ଦୋକାନ ବନ୍ଦ ରହିଥିବାରୁ ଚାଷୀ ମାନେ ଚିନ୍ତାରେ ରହିଥିିଲେ । ଏହି ସମୟରେ ଚାଷ ଜମିରେ ଥିବା ଧାନ ଫସଲ ପାଇଁ ଯତ୍ନ ସହିତ ସାର ଓ କୀଟନାଶକ ଅତ୍ୟାବଶ୍ୟକ ହୋଇପଡ଼ିଥିଲା । ଯାହା ହେଉ ରାଜ୍ୟ ସରକାର ଏହି ସବୁ ଦ୍ରବ୍ୟ ବିକ୍ରୟ କରୁଥିବା ଦୋକାନ ଖୋଲିବା ପାଇଁ ଅନୁମତି ଦେବା ପରେ ଚାଷୀ ମାନେ ତାହା ସଂଗ୍ରହ କରି ନିିଜ ନିଜ ଜମିରେ ଉପଯୋଗ କରିଛନ୍ତି । ଖାସ୍ କରି ୟୁରିଆ ଓ ପଟାସ ପ୍ରଭୃତି ପ୍ରୟୋଗ କରାଯାଇପାରିଛି । ତେବେ ଚଳିତ ମାସ ଶେଷ ଭାଗରେ କିମ୍ବା ମଇ ମାସ ପ୍ରଥମ ସପ୍ତାହ ବେଳକୁ ଡ଼ାଳୁଅ ଧାନ ଫସଲ ଅମଳ କାର୍ଯ୍ୟ ଆରମ୍ଭ ହୋଇଯିବ । ସେତେବେଳେ ଶ୍ରମିକଙ୍କ ଆବଶ୍ୟକତା ହେବ । ହାରଭେଷ୍ଟର ବା ଧାନ କଟା ଯନ୍ତ୍ର ବ୍ୟବହାର ସତ୍ୱେ ଲୋକ ବଳ ଦରକାର ହେବ । ଜିଲ୍ଲାର ଚାଷୀ ମାନେ ବାହାର ଜିଲ୍ଲା ଏପରିକି ରାଜ୍ୟର ଶ୍ରମିକ ମାନଙ୍କ ଉପରେ ଏଥିପାଇଁ ନିର୍ଭର କରନ୍ତି । ଧାନ ଅମଳ ସକାଶେ ଚାଷୀ ମାନେ ଏହି ବ୍ୟବସ୍ଥା କିପରି କରିବେ ବୋଲି ଚିନ୍ତାର ଅଛନ୍ତି । କାରଣ ଖରିଫ ଫସଲ ଅପେକ୍ଷା ଡ଼ାଳୁଅ ଫସଲର ଧାନ ଅମଳକ୍ଷମ ହେଲା କ୍ଷଣି କାଟିବାକୁ ହୋଇଥାଏ । କାରଣ ପ୍ରାକ୍ ମୈାସୂମୀ ବର୍ଷା ସହିତ ଝଡ଼ପବନର ଆଶଙ୍କାରେ ଚାଷୀ ମାନେ ରହିଥାଆନ୍ତି । ଏହି ଫସଲର ଧାନ ଅମଳ ପରେ ପରେ ଆସନ୍ନ ଖରିଫ ଫସଲ ପାଇଁ ଚାଷୀ ମାନଙ୍କୁ ପ୍ରସ୍ତୁତି କରିବାକୁ ପଡ଼ିଥାଏ । ଏଣୁ ଶ୍ରମିକଙ୍କ ଆବଶ୍ୟକତା ଚାଷୀ ମାନଙ୍କ ପାଇଁ ବର୍ତମାନ ସମୟରେ ଆହ୍ୱାନ ସୃଷ୍ଟି କରିବ । ଏ ଦିଗରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ରହିଲା । ତେବେ ଧାନ ଅମଳ ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ପଡ଼ିବ ।
ଏଣେ ଜିଲ୍ଲାରେ ଅଣଧାନ ଫସଲ ଅମଳକ୍ଷମ ହୋଇସାରିଛି । ଏହି ସମୟରେ କରୋନା ଭୂତାଣୁର ସଂକ୍ରମଣକୁ ନଜରରେ ରଖି ସାମାଜିକ ଦୂରତା ଓ ପରିଷ୍କାର ପରିଚ୍ଛନ୍ନତା ରକ୍ଷା ଉପରେ କୃଷି ବିଭାଗ ଚାଷୀ ମାନଙ୍କୁ ପରାମର୍ଶ ଦେଇଛି । ସୂଚନା ଯୋଗ୍ୟ ଯେ, ଜିଲ୍ଲାର ୧୫ ହଜାର ୩୦୦ ଶହ ହେକ୍ଟର ଜମିରେ ମୁଗ, ବିରି, କୋଳଥ, ଚଣା ଆଦି ଡ଼ାଲି ଜାତୀୟ ଫସଲ ଚାଷ କରାଯାଇଛି । ୧୧ ହଜାର ୪୨୧ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ, ସୋରିଷ, ରାଶି, ଜଡ଼ା ଓ ଚିନାବାଦାମ, ୧୮ ହଜାର ୧୫୫ ହେକ୍ଟର ଜମିରେ ଆଳୁ, ଖମ୍ବଆଳୁ, ପିଆଜ ସହିତ ପନିପରିବା ଚାଷ କରାଯାଇଛି । ସେହିପରି ୭ ହଜାର ୭୪୦ ହେକ୍ଟର ଜମିରେ ଲଙ୍କା, ଅଦା ପ୍ରଭୃତି ମସଲା କିସମର ବିଭିନ୍ନ ଫସଲ କରାଯାଇଛି । ବିଶେଷକରି ପନିପରିବା ଚାଷ କରିଥିବା ଚାଷୀ ମାନେ ଲକ୍ ଡ଼ାଉନ ସମୟରେ ଉପାର୍ଜିତ ଦ୍ରବ୍ୟର ବଜାର ସଂଯୋଗ ପାଇବାରେ ଘୋର ଅସୁବିଧାର ସାମ୍ନା କରୁଥିବା ଅଭିଯୋଗ ହେଉଛି ।