ବ୍ରହ୍ମପୁର : ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ କୋଭିଡ୍-୧୯ ପରୀକ୍ଷା କରିବାକୁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁମତି ପ୍ରଦାନ କରିଛି । ରାଜ୍ୟରେ କଟକ ମେଡିକାଲ କଲେଜରେ କରୋନା ପରୀକ୍ଷା କରାଯାଉଥିଲା । କରୋନା ପରୀକ୍ଷା କରିବାରେ ଏମ୍କେସିଜି ମେଡିକାଲ କଲେଜ ଦ୍ୱିତୀୟ । ଏଥିପାଇଁ କିଟ୍ ଓ ଅନ୍ୟ ସମସ୍ତ ସରଞ୍ଜାମ ଆସିସାରିଥିବା ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ଶୁକ୍ରବାର ଆଇସିଏମ୍ଆର୍ ଅନୁମତି ପ୍ରଦାନ କରିବା ସହ ପରୀକ୍ଷା ପାଇଁ କିଟ୍ ମଧ୍ୟ ପହଞ୍ଚିଛି । ଶନିବାର ଏହାର ଡମି ଟେଷ୍ଟ ହେବା ପରେ ରବିବାର ଠାରୁ କୋଭିଡ୍ ପରୀକ୍ଷା ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ମେସିନ୍ରେ ଏକାସାଙ୍ଗରେ ୧୭ଟି ସ୍ୱାବ୍ ପରୀକ୍ଷା କରିବା ଭଳି ବ୍ୟବସ୍ଥା ରହିଛି । ମାଇକ୍ରୋବାୟୋଲୋଜି ବିଭାଗରେ ଏହି ମେସିନ୍ ରହିଥିବା ବେଳେ ଜଣେ ସାଇଣ୍ଟିଷ୍ଟ, ଲେବର ଟେକ୍ନିସିଆନ୍ ଓ ୬ଜଣ ଡାକ୍ତର ନିୟୋଜିତ ରହିଛନ୍ତି । ଏଠାରେ କରୋନା ପରୀକ୍ଷା ଆରମ୍ଭ ହେବା ପରେ ରୋଗୀ ସମ୍ପର୍କୀୟ ଓ କର୍ମଚାରୀ ମାନେ ଅଧିକ ସତର୍କ ହେବାକୁ ପଡିବ । ତେବେ ଏମ୍କେସିଜିରେ ଗଞ୍ଜାମ ଜିଲ୍ଲା ସହ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାରୁ ସ୍ୱାବ୍ ଏଠାକୁ ପରୀକ୍ଷା ପାଇଁ ଆସିବ ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024