-
ଶନିବାର ଠାରୁ ପୁଣି ଗାଡି ଚଳାଚଳ ଉପରେ କଟକଣା
ବ୍ରହ୍ମପୁର : ଓଡ଼ିଶା ଉଚ୍ଚନ୍ୟାୟଳୟ ଗୁରୁବାର ନିର୍ଦ୍ଦେଶ ଦେବା ପରେ ଏହାର ଫାଇଦା ନେଇଛନ୍ତି ଅମାନିଆ । ଅଯଥାରେ ଅମାନିଆ ମାନେ ଗାଡ଼ି ବାହାର କରି ରାସ୍ତାକୁ ଆସିଥିଲେ । ଶୁକ୍ରବାର ବ୍ରହ୍ମପୁର ସହରରେ ମଧ୍ୟ ସାଧାରଣ ଦିନ ଭଳି ଗାଡ଼ି ଦେଖିବାକୁ ମିଳିଥିଲା । ପୁଲିସ ପକ୍ଷରୁ ସଚେତନ କରାଯାଇଥିଲା ଏବଂ ଗାଡ଼ି ନଆଣିବାକୁ ଅନୁରୋଧ କରାଯାଇଥିଲା । ତଥାପି ସବୁ ମାର୍କେଟ୍ରେ ଭିଡ଼ ଦେଖିବାକୁ ମିଳିଥିଲା । କମାପଲ୍ଲୀ ଭେଣ୍ଡିଂ ଜୋନ୍ ସହ ବିଜିପୁର, କର୍ପୋରେସନ୍ ରୋଡ଼, ପାର୍କ ସାହି, ହଳଦିଆପଦର ଏଭଳି ବିଭିନ୍ନ ମାର୍କେଟ୍କୁ ଲୋକ ବାଇକ୍ ଧରି ଆସିଥିଲେ । ବିଭିନ୍ନ ସାହିରୁ ଲୋକ ବାଇକ୍ ଧରି ମାର୍କେଟ୍କୁ ଆସୁଥିବାରୁ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ତେବେ ପୁଲିସ ଗାଡ଼ି ଜବତ କରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୁରୁବାର ସନ୍ଧ୍ୟାରୁ ଅମାନିଆ ମାନେ ବାଇକ୍ ନେଇ ରାସ୍ତାକୁ ଆସିଥିଲେ । ହାଇକୋର୍ଟ ପୁଣି ତାଙ୍କ ରାୟରେ ସାମାନ୍ୟ ପରିବର୍ତ୍ତନ ଆଣି ବାଇକ୍ ଜବତ କରିବ ପୁଲିସ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ୩ଥର ପର୍ଯ୍ୟନ୍ତ ଅଣ୍ଡରଟେକିଂ ରଖି ଛାଡ଼ିବ । ହାଇକୋର୍ଟଙ୍କୁ ଏହି ନିର୍ଦ୍ଦେଶ ଆସିବା ପରେ ବ୍ରହ୍ମପୁର ପୁଲିସ ପୁଣି ଆକ୍ସନ୍ ମୁଡ୍କୁ ଆସିଛି । ଏଣିକି ଗାଡ଼ି ଆଉ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି । ସେ କହିଛନ୍ତି, ଶୁକ୍ରବାର ସନ୍ଧ୍ୟାରୁ ମିଳିତ ପାଟ୍ରୋଲିଂ ଆରମ୍ଭ ହୋଇସାରିଛି । ମୁଖ୍ୟ ରାସ୍ତା ସହ ସବୁ ସାହିକୁ ପୁଲିସ ଗାଡ଼ି ପାଟ୍ରୋଲିଂରେ ଯାଇ ସଚେତନ କରୁଛି ଏବଂ ରାସ୍ତାକୁ ନଆସିବାକୁ କୁହାଯାଉଛି । ଯଦି ପୁଣି ରାସ୍ତାକୁ ଆସିବେ ତାହେଲେ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ । ଯଦି ଅଯଥାରେ ଆଇନ ଉଲଂଘନ କରି ସେମାନେ ରାସ୍ତାରେ ବୁଲିବେ ତାହେଲେ ନିଶ୍ଚିତ ଭାବେ ଗାଡ଼ି ଜବତ ହେବ ଓ ଜରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି ।
ଆଉ ୩ ସନ୍ଦିଗ୍ଧ ଏମ୍କେସିଜିରେ ଭର୍ତ୍ତି
ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ କୋଭିଡ୍-୧୯ ଆଇସୋଲେସନ୍ ୱାର୍ଡରେ ଆଉ ୩ଜଣ ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଜଣେ ଗୋଳନ୍ଥରା, ଗଜପତି ଓ ଭଞ୍ଜନଗର ଅଞ୍ଚଳର ରହିଛନ୍ତି । ଗଜପତିରୁ ଆସିଥିବା ସନ୍ଦିଗ୍ଧ ଭୁବନେଶ୍ୱରରୁ ଫେରିଥିବା ବେଳେ ଭଞ୍ଜନଗରୁ ଆସିଥିବା ଯୁବକ ଜଣକ ଚେନ୍ନାଇରୁ ଫେରିଛନ୍ତି ଏବଂ ଗୋଳନ୍ଥରାର ଯୁବକ ଜଣକ କୁଆଡେ ବି ଯାଇନଥିବା ଏମ୍କେସିଜି ଅଧିକ୍ଷକ ପ୍ରଫେସର ଡା. ମିଶ୍ର କହିଛନ୍ତି । ଶୁକ୍ରବାର ଏହି ୩ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଛି । ପୂର୍ବରୁ ଏହି ୱାର୍ଡରେ ୩ଜଣ ଚିକିତ୍ସାଧୀନ ରହିଛନ୍ତି । ବର୍ତ୍ତମାନ ମୋଟ ୬ଜଣ ଚିକିତ୍ସାଧୀନ ରହିଥିବା ବେଳେ ପରୀକ୍ଷା ରିପୋର୍ଟକୁ ଅପେକ୍ଷା ରହିଛି।