-
୧୬ ଡାକ୍ତର ଓ ୭୦ ନର୍ସ ନିୟୋଜିତ, ୧୫ଶଯ୍ୟାରେ ଭେଣ୍ଟିଲେଟର
REPORT- SHIVRAM CHAUDHARY
ବ୍ରହ୍ମପୁର : ଶୁକ୍ରବାର ଗଞ୍ଜାମ ଜିଲ୍ଲାର ପ୍ରଥମ କୋଭିଡ-୧୯ ହସ୍ପିଟାଲ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଟାଟା ଷ୍ଟିଲ୍ ଦ୍ୱାରା ପ୍ରତିଷ୍ଠିତ ଟାଟା ମେଡିକୋ ହସ୍ପିଟାଲରେ ଆରମ୍ଭ ହୋଇଛି । ଏହି ହସ୍ପିଟାଲ୍ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୨୦୦ଶଯ୍ୟା ରହିଛି । ଶୁକ୍ରବାର ଠାରୁୁ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିବା ହସ୍ପିଟାଲ୍ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିନଳୀରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ମେଡିକାଲ କଲେଜର ଡାକ୍ତରଙ୍କ ସହଯୋଗରେ ୧୫ ଆଇସିୟୁ ସହ ଭେଣ୍ଟିଲେଟର ଶଯ୍ୟା ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ବେଳେ ଆଗାମୀଦିନରେ ଆଉ ୫ଟି ଭେଣ୍ଟିଲେଟର ୧୦ଦିନରେ ଆସିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡ ସହ ସାଧାରଣ କୋଭିଡ୍ ୱାର୍ଡ ରହିଥିବା ସେ କହିଛନ୍ତି ।
ମେଡିକାଲ ଅଫିସର ଭାବେ ଏମ୍କେସିସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ମେଡିସିନି ବିଭାଗ ଆସୋସିଏଟ୍ ପ୍ରଫେସର ଡା. ଉମା ଶଙ୍କର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିଡିଏ ସଚିବ ସମ୍ବିତ ରାଉତଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । କୋଭିଡ୍ ହସ୍ପିଟାଲ୍ ପରିଚାଳନାରେ ଟାଟା ମେଡ଼ିକାଲ ଗ୍ରୁପ୍ ସହଯୋଗ କରୁଛି । ଜିଲ୍ଲା ପ୍ରଶାସନ ତରଫରୁ ଟାଟା ମେଡିକୋ ଗ୍ରୁପ୍, ଏମ୍କେସିଜି ମେଡିକାଲ କଲେଜ ଡାକ୍ତର ଓ କର୍ମଚାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାପାଳ । ଏଠାକୁ କେହି ରୋଗୀ ନଆସନ୍ତୁ ମା’ତାରା ତାରିଣୀ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି । ଟାଟା ମେଡିକାରେ କୋଭିଡ୍-୧୯ ହସ୍ପିଟାଲ୍ ହେବା ପରେ ଏମ୍କେସିଜି କୋଭିଡ୍-୧୯ ୱାର୍ଡ ବନ୍ଦ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଯଦି ପଜିଟିଭ୍ ରୋଗୀ ଆସନ୍ତି ତାହେଲେ ଟାଟା ମେଡିକା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ । କୋଭିଡ୍-୧୯ ହସ୍ପିଟାଲ୍ ଏଏମ୍ଓ ପ୍ରଫେସର ଡା. ମିଶ୍ର ସୂଚନା ଦେଇଛନ୍ତି, ୪୦ଟି ଶଯ୍ୟାରେ ଆଇସିୟୁ ରହିଛି । ସେଥିମଧ୍ୟରୁ ୧୫ଟିରେ ଭେଣ୍ଟିଲେଟର ଲାଗିଛି, ଆଉ ୫ଟି ଭେଣ୍ଟିଲେଟର ଖୁବ୍ଶୀଘ୍ର ଆସିବ । ସରକାରଙ୍କ ଗାଇଡ୍ଲାଇନ୍ ପ୍ରକାରେ ଏଠାରେ ୪୦ଟି ସ୍ୱତନ୍ତ୍ର ଆଇସୋଲେସନ୍ ରୁମ୍ ରହିଛି । ଯେଉଁ ମାନେ ସନ୍ଦିଗ୍ଧ ଓ ପଜିଟିଭ୍ ସେମାନଙ୍କୁ ସ୍ୱତନ୍ତ୍ର ରୁମ୍ ଭିତରେ ରଖାଯିବ । କୋଉ ରୋଗୀ କାହା ସହ ମିଶିବାକୁ ହେବ ନାହିଁ । ଆଉ ୧୨୦ଟି ସାଧାରଣ ଶଯ୍ୟା ରହିଛି । ସନ୍ଦିଗ୍ଧ ମାନଙ୍କୁ ଏଠାରେ ରଖିବାକୁ ଯୋଜନା ରହିଥିବା ସେ କହିଛନ୍ତି ।
ଏମ୍କେସିଜି ମେଡିକାଲ କଲେଜ ଆସୋସିଏଟ୍ ପ୍ରଫେସର ଡା.ଶୁଭେନ୍ଦୁ ଆଚାର୍ଯ୍ୟଙ୍କ ସହ ୧୬ଜଣ ଅଭିଜ୍ଞ ଡାକ୍ତର ଏଠାରେ ନିୟୋଜିତ ରହିଛନ୍ତି । ୭୦ଜଣ ନର୍ସ ଓ ୭୦ଜଣ ସଫେଇ କର୍ମଚାରୀ ଏଠାରେ ନିୟୋଜିତ ହୋଇଛନ୍ତି । ଏହାବ୍ୟତିତ ଅନ୍ୟ କର୍ମଚାରୀ ମଧ୍ୟ ନିୟୋଜିତ ରହିଛନ୍ତି । ୧୫ଦିନ ପାଇଁ ଏହି କର୍ମଚାରୀ ଏଠାରେ ଡ୍ୟୁଟି କରିବେ । ଯଦି ଏହି ସମୟରେ କେହି ପଜିଟିଭ୍ ରୋଗୀ ଚିହ୍ନଟ ହୁଅନ୍ତି ତାହେଲେ ତାଙ୍କର ଚିକିତ୍ସା କରିବେ । କୋଭିଡ୍-୧୯ ହସ୍ପିଟାଲ୍ରେ ଡ୍ୟୁଟି ସରିବା ପରେ ସଂପୃକ୍ତ ଡାକ୍ତର ଓ କର୍ମଚାରୀଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନ୍ରେ ରଖାଯିବ । ଯଦି କୌଣସି ପଜିଟିଭ୍ ରୋଗୀ ନଆସନ୍ତି ତାହେଲେ ଡ୍ୟୁଟି ସରିବା ପରେ ଡାକ୍ତର ଓ କର୍ମଚାରୀ ମାନେ ସିଧା ଘରକୁ ଯାଇପାରିବେ । ଜିଲ୍ଲାପାଳଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଏମ୍କେସିଜି ଅଧିକ୍ଷକ ଡାକ୍ତର ସନ୍ତୋଷ କୁମାର ମିଶ୍ର, ପ୍ରଶାସନିକ ଅଧିକାରୀ ସଚିଦାନନ୍ଦ ନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଉମାଶଙ୍କର ମିଶ୍ର, ଡିପିଏମ୍ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଏମ୍କେସିଜି ମେଡିକାଲ୍ କଲେଜ ଓ ଡାକ୍ତରଖାନାର କର୍ମଚାରୀ ଉପସ୍ଥିତ ଥିଲେ ।