REPORT-SHIVRAM CHAUDHARY
ବ୍ରହ୍ମପୁର : କରୋନା ଭୟଙ୍କର ରୂପ ସାରାବିଶ୍ୱ ଦେଖୁଛି । ବିଶ୍ୱର ମହାଶକ୍ତି ବୋଲାଉଥିବା ଆମେରିକା, ଇଂଲଣ୍ଡ, ଚୀନ, ଜାପାନ, ଫ୍ରାନ୍ସ, ଋଷିଆଭଳି ଦେଶ କରୋନା ସାମ୍ନାରେ ଅସହାୟ ହୋଇପଡିଛନ୍ତି । କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ରାସ୍ତା ବୋଲି ପ୍ରମାଣିତ ହୋଇସାରିଛି । ସେଥିପାଇଁ ସମସ୍ତ ଦେଶ ନିଜ ନିଜର ନାଗରିକଙ୍କୁ ସାମାଜିକ ଦୂରତା ସହ ଘରେ ଆବଦ୍ଧ ରହିବାକୁ ପରାମର୍ଶ ଦେଉଛନ୍ତି । ଏପରିକି ନେତା, ଅଭିନେତା, ଖେଳାଳି, ବ୍ୟବସାୟୀ, ସମସ୍ତେ ନିଜ ନିଜର ଘରେ ଆବଦ୍ଧ ହୋଇ ରହିଛନ୍ତି । ସର୍ବଦା ବାହାରେ ରହୁଥିବା ନେତମାନେ ବନ୍ଦ ଘରେ କିପରି ସମୟ ବିତାଉଛନ୍ତି ଜାଣିବା ପାଇଁ ଆମ ପ୍ରତିନିଧି ଭେଟିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ । ଆଜି ଜାଣିବା ବିଧାୟକ ଶ୍ରୀ ପଣ୍ଡା କିପରି ଘରେ ରହି ସମୟ ଅତିବାହତ କାଟୁଛନ୍ତି ଏବଂ କଣ ସବୁ କରୁଛନ୍ତି ।
ଘରେ ଆବଦ୍ଧ ରହିଥିବା ପ୍ରତ୍ୟେକ ନେତା ଓ ଅଭିନେତା ନିଜକୁ ଯୋଗ, ବ୍ୟାୟାମ, ପୂଜାପାଠ, ଫିଲ୍ମଦେଖା, ରୋଷେଇ କରିବାରେ ନିଜକୁ ବ୍ୟସ୍ତ ରଖୁଥିବା ବେଳେ ବ୍ରହ୍ମପୁର ବିଧାୟକ ଶ୍ରୀପଣ୍ଡା କିନ୍ତୁ ଅଲଗା । ପୂର୍ବରୁ ଯେପରି ଲୋକଙ୍କ ସମସ୍ୟା ବୁଝିବା ଏବଂ ସମାଧାନ କରିବାରେ ଲାଗି ରହୁଥିଲେ ଏବେ ମଧ୍ୟ ସେସମାନ କାମ କରୁଛନ୍ତି । ଫରକ ଖାଲି ଏତିକି, ସେତେବେଳେ ଲୋକଙ୍କ ନିକଟରେ ପହଞ୍ଚି ପାରୁଥିଲେ, ଏବେ ତାହା ସମ୍ଭବ ହୋଇପାରୁନି । ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶେଯକୁ ଯିବା ପର୍ଯ୍ୟନ୍ତ ମୋବାଇଲରେ ବ୍ୟସ୍ତ ରହୁଛନ୍ତି । ମୋବାଇଲରେ ବ୍ୟସ୍ତ ରହି ଫିଲ୍ମ ଦେଖିବା କିମ୍ବା ସୋସିଆଲମିଡିଆରେ ସମୟ ବିତାଉ ନାହାନ୍ତି । ଏହା ମାଧ୍ୟମରେ ବିଧାୟକ ଶ୍ରୀପଣ୍ଡା ଲୋକଙ୍କ ସମସ୍ୟା ଶୁଣିବା, ଏହାକୁ ବ୍ୟକ୍ତିଗତ ରେଜିଷ୍ଟ୍ରାରରେ ପଞ୍ଜିକରଣ କରିବା, ସମ୍ପୃକ୍ତ ବିଭାଗ ସହ ଆଲୋଚନାକରି ସମସ୍ୟାର ସମାଧାନ କରିବାରେ ସମୟ ବିତିଯାଉଛି । ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳି ଲୋକଙ୍କ ଠାରୁ ଗୋଟିଏ ପରେ ଗୋଟିଏ ସମସ୍ୟା ଆସିଛି ଏବଂ ବିଧାୟକ ପଣ୍ଡା ସେଗୁଡିକୁ ସମାଧାନ କରିବାରେ ବ୍ୟସ୍ତ ରହୁଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିକଳ୍ପ ସାଜିଛି ଦୂରଭାଷା ଯନ୍ତ୍ର । ଏପରି ଭାବେ ଦିନ ତମାମ ବିଧାୟକ ପଣ୍ଡା ଘରେ ରହି ମଧ୍ୟ ଲୋକଙ୍କ ସହ ରହିଥିବା ଆଶା ଓ ଆଶ୍ୱାସନା ଦେଉଛନ୍ତି ।
ବିଧାୟକ ପଣ୍ଡା ଘରେ ରହୁଥିଲେ ମଧ୍ୟ ପରିବାରକୁ ଯଥେଷ୍ଟ ସମୟ ଦେଇପାରୁ ନଥିବା ପ୍ରକାଶ କରିଛନ୍ତି । କାରଣ ସେ ଲୋକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେଇ କାମ କରୁଛନ୍ତି । ଜନସାଧାରଣଙ୍କ ପାଇଁ ରହିଥିବା କର୍ତ୍ତବ୍ୟ ପାଳନ କରୁକରୁ ପରିବାର ପାଇଁ ରହିଥିବା ଦାୟିତ୍ୱ ତୁଲାଇବାରେ ସାମାନ୍ୟ ଅବହେଳା ହେଉଥିବା ବିଧାୟକ ପଣ୍ଡା ସ୍ୱୀକାର କରିଛନ୍ତି । ତଥାପି ସମୟ ପାଇଲେ ପିଲାଙ୍କ ସହ ପାଠପଢା ବିଷୟରେ ଆଲୋଚନା କରୁଛନ୍ତି । ଘରର ହାନି ଲାଭ ବୁଝୁଛନ୍ତି । ଏହାସହ ସନ୍ଧ୍ୟାରେ ବ୍ୟାୟାମ କରୁଛନ୍ତି । ଘରେ ଆବଦ୍ଧ ହୋଇ ରହିଥିବାରୁ ଶାରୀରିକ ପରିଶ୍ରମର ଅଭାବକୁ ପୂରଣ କରିବା ପାଇଁ ସନ୍ଧ୍ୟାରେ ଘରେ ଥିବା ଛୋଟିଆ ଜିମ୍ରେ ଏକ ଘଣ୍ଟା ବ୍ୟାୟାମ କରନ୍ତି । ଏହା ଦ୍ୱାରା ଶରୀର ଫୂର୍ତ୍ତିହୁଏ ଏବଂ ଅତିରିକ୍ତ ମାନସିକ ପରିଶ୍ରମ ପାଇଁ ଉତ୍ସାହ ମିଳେ ବୋଲି ବିଧାୟକ ଶ୍ରୀପଣ୍ଡା ମତ ଦେଇଛନ୍ତି । ସର୍ବୋପରି କରୋନା ମୁକାବିଲା ଦିଗରେ ଗଞ୍ଜାମ ପୁଲିସ ଓ ପ୍ରଶାସନର ଦୃଷ୍ଟାନ୍ତମୂଳକ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଯେପରି ଆଗୁଆ, ରାଜ୍ୟରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟଶୈଳୀ ଓ ଚିନ୍ତାଧାରା ସମସ୍ତଙ୍କ ଠାରୁ ଭିନ୍ନ । ଏକାଧିକ ଦୃଷ୍ଟାନ୍ତମୂଳକ ଓ ସଚେତନା ଧର୍ମୀ ପଦକ୍ଷେପ ଗ୍ରହଣ କରିବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦଳର କ୍ୟାପଟେନ୍ ଭୂମିକା ନିର୍ବାହ କରୁଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ଓ ଜରୁଜାଳୀନ ପଦକ୍ଷେକ ବିଶ୍ୱ ପାଇଁ ଉଦାହରଣ ବୋଲି ପଡୋଶୀ ରାଜ୍ୟ ଓ ପଡୋଶୀ ଦେଶ କହୁଛନ୍ତି ।