
ଭୁବନେଶ୍ୱର – ଓଡିଶା ସରକାର ଓଡିଶାରେ ଲକଡାଉନ୍ ସମୟକୁ ୩୦ଏପ୍ରିଲ ପର୍ଯ୍ୟନ୍ତ ଲାଗୁ ହେବା ଘୋଷଣା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟର ଏହି ଲକ୍ଡାଉନ୍ ସମୟରେ ଗରିବ ଲୋକ, ଶ୍ରମଜିବୀ, ଦିନ ମଜୁରିଆ ଇତ୍ୟାଦି ଲୋକଙ୍କ ଆର୍ଥିକ ଅବସ୍ଥା ଆହୁରୀ ଶୋଚନୀୟ ହୋଇ ପଡିବ । ଅତଏବ ରାଜ୍ୟର ଅତି ସଂଖ୍ୟା ଗରିଷ୍ଠ ଅଂଶର ଗରିବ ଲୋକଙ୍କ ସ୍ୱାର୍ଥ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସିପିଏମର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟାବସ୍ଥା ଯାଂଚ ସହିତ କରୋନା ଭୂତାଣୁ ସଂକ୍ରମଣ ପରୀକ୍ଷା ପାଇଁ ତତ୍କାଳ ପରୀକ୍ଷା କିଟ୍ ବ୍ୟବହାର ଏବଂ ଏହା ଦେଶ ବିଦେଶରୁ ଆମଦାନୀ ପାଇଁ ଘୋଷଣା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କେରଳ ରାଜ୍ୟ ପରି ଏହା ପୂର୍ବରୁ କରାଯାଇଥିଲେ ନିର୍ଦ୍ଦିଷ୍ଟ କେଉଁ ଅଂଚଳରେ ସଂକ୍ରମଣ ବୃଦ୍ଧି ପାଉଛି ତାହା ଜାଣିବା ସହଜ ହୋଇପାରିଥାଆନ୍ତା । ଫଳରେ ସମଗ୍ର ରାଜ୍ୟ କିମ୍ବା ଦେଶସାରା ଲକ୍ ଡାଉନ୍ରେ ଚିହ୍ନଟ ଅଞ୍ଚଳରେ ଏହା ଲାଗୁ କରାଯାଇପାରିଥାଆନ୍ତା । ଏପରି ଚିହ୍ନଟ ପ୍ରକ୍ରିୟା ଯୋଗୁଁ କେରଳ, ଦିଲ୍ଲୀ ଆଦି ରାଜ୍ୟରେ ବ୍ୟାପୁଥିବା ଅଞ୍ଚଳକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି ଏବଂ କେରଳରେ ପର୍ଯ୍ୟାୟକ୍ରମେ ନିର୍ଦ୍ଦିଷ୍ଠ ଅଞ୍ଚଳରେ କେବଳ ଲକ୍ଡାଉନ୍ ପାଇଁ ପ୍ରସ୍ତାବ ଦେଇଛନ୍ତି ।
ଓଡିଶାରେ ମଧ୍ୟ ପ୍ରତି ସପ୍ତାହରେ ସମୀକ୍ଷ କରି ବ୍ୟାପୁଥିବା ଅଂଚଳକୁ ଚିହ୍ନଟ କରାଯାଉ । ଭୂତାଣୁ ସଂକ୍ରମଣ ଜନିତ ରୋଗର ଚିକିତ୍ସା ପାଇଁ ବ୍ୟାପକ ପରୀକ୍ଷା ମାଧ୍ୟମ ନହେଲେ ସୁଦ୍ଧା ନିର୍ଦ୍ଧିଷ୍ଟ ଅଞ୍ଚଳକୁ ଚିହ୍ନଟ କରିବାରେ ଏହା ସାହାଯ୍ୟ କରିବ । ଏହା ସହିତ ସାମାଜିକ ସଂକ୍ରମଣ ରୋକିବା ପାଇଁ ନିୟମକୁ କଡା କଡି ଭାବେ ପାଳନ କରିବା ଦରକାର ।
ଏହି କାର୍ଯ୍ୟ କେବଳ ଏକ ପ୍ରଶାସନିକ କାର୍ଯ୍ୟ ନୁହେଁ ସବୁ ସ୍ତରରେ ସଚେତନତା ସୃଷ୍ଟି କରିବା ଜରୁରୀ ଆବଶ୍ୟକତା ରହିଛି । ଓଡିଶାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ଦଳର କର୍ମୀ ଓ ନେତାମାନଙ୍କୁ ସଚେତନତା ସୃଷ୍ଟି ଏବଂ ଅଭାବୀ ଲୋକଙ୍କ ସହାୟକ ହେବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି । ଏ କାର୍ଯ୍ୟ କେବଳ ପ୍ରଶାସନିକ କିମ୍ବାର ଦଳୀୟ କାର୍ଯ୍ୟ । ସମସ୍ତ ରାଜନୈତିକ ଦଳର କର୍ମୀମାନଙ୍କୁ ନିୟମ, ଅନୁଶାସନ ମଧ୍ୟରେ ରହି ଏ ଦିଗରେ କାର୍ଯ୍ୟ କରିବାକୁ ଦେବା ଦରକାର ।