ଭୁବନେଶ୍ୱର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲରୁ ଜୁନ ମାସ ଯାଏ ସ୍କୁଲ ଫିକୁ କମ କରିବା ବା ପରବର୍ତୀ ସମୟରେ ପୈଠ କରିବାକୁ ସହୃଦୟତାର ସହ ବିଚାର କରିବାକୁ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଏହା ଲକଡାଉନ କାରଣରୁ ଅଭିଭାବକ ମାନଙ୍କ ଆର୍ଥିକ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ।
୨୯୬୩ ଜଣ ଜେଲରୁ ମୁକୁଳିଲେ
ଭୁବନେଶ୍ୱର । କୋବିଡ ୧୯ ସଂକଟର ସମୟରେ ଜେଲରୁ ଭୀଡ କମ କରିବା ପାଇଁ ସୁପ୍ରିମକୋର୍ଟର ଆଦେଶ ଅନୁସାରେ ୨୯୬୩ ଜଣ ଜେଲରୁ ମୁକୁଳିଛନ୍ତି । ଡିଜିପି (ଜେଲ) ସନ୍ତୋଷ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏମାନଙ୍କ ମଧ୍ୟରୁ ୨୬୬୧ ଜାମିନରେ ମୁକୁଳିଥିବା ବେଳେ ୯ ଜଣ ପାରୋଲରେ ତଥା ୨୯୩ ଜଣ ଅଂତରୀଣ ଜାମିନରେ ଜେଲରୁ ମୁକୁଳିଛନ୍ତି ।
ଡୁବୁରୀ ଠାରେ ଟାଟା ଷ୍ଟିଲ ମେଡିକାଲ ହସପିଟାଲ କୋବିଡ -୧୯ ହସପିଟାଲ ଭାବେ କାମ ଆରମ୍ଭ କଲା
ଭୁବନେଶ୍ୱର। ଯାଜପୁର ଜିଲ୍ଲାର ଡୁବୁରୀ ଠାରେ ଟାଟା ଷ୍ଟିଲ ମେଡିକାଲ ହସପିଟାଲ କୋବିଡ -୧୯ ହସପିଟାଲ ଭାବେ କାମ ଆରମ୍ଭ କରିଛି । ଏଥିରେ ୧୫୦ଟି ବେଡ ଓ ୨୫ଟି ଆଇସିୟୁର ବ୍ୟବସ୍ଥା ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।