ନୂଆଦିଲ୍ଲୀ– କରୋନା ଭାଇରସ୍ ମହାମାରୀକୁ ନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଟଲିନା ଜାର୍ଜିଭା ଚେତାବନୀ ଜାରି କରିଛନ୍ତି । ଜାର୍ଜିଭା କହିଛନ୍ତି ଯେ, କରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ୱ ଅର୍ଥନୀତି ପାଇଁ ଘାତକ ସାବ୍ୟସ୍ତ ହେବ । ସେ ଗୁରୁବାର କହିଛନ୍ତି,୨୦୨୦ରେ ଦୁନିଆର ୧୭୦ରୁ ଅଧିକ ଦେଶରେ ମୁଣ୍ଡ ପିଛା ଆୟ ହ୍ରାସ ହେବ । ଦୁନିଆ ସଂପ୍ରତି ଏହି ସଙ୍କଟର ଅବଧିକୁ ନେଇ ଅସ୍ୱାଭାବିକ ଭାବେ ଅନିଶ୍ଚିତତା ଦେଇ ଗତି କରୁଛି । ମାତ୍ର ଏହା ପୂର୍ବରୁ ସ୍ପଷ୍ଟ ହୋଇ ସାରିଛି ଯେ, ୨୦୨୦ରେ ବୈଶିକ ଅଭିବୃଦ୍ଧି ହାରରେ ଅହେତୁକ ହ୍ରାସ ଦେଖିବାକୁ ମିଳିବ । ଆମର ଅନୁମାନ ଏହା ଯେ, ଆମକୁ ୧୯୩୦ ଦଶନ୍ଧିର ମହାମନ୍ଦୀ ପରେ ଅର୍ଥନୀତିରେ ସବୁଠୁ ବଡ ହ୍ରାସ ଦେଖିବାକୁ ମିଳିବ ।
ଜାର୍ଜିଭା କହିଛନ୍ତି ଆଜି ଦୁନିଆ ଏମିତି ସଙ୍କଟ ଦେଇ ଗତି କରୁଛି, ଯାହା ସେ କେବେ ମଧ୍ୟ ପୂର୍ବରୁ ଭାବି ନଥିଲା । କୋଭିଡ୍-୧୯ ଆମର ଆର୍ଥିକ ଓ ସାମାଜିକ ସ୍ଥିତିକୁ ଶୋଚନୀୟ ଭାବେ ଖରାପ କରି ଦେଇଛି । ଏହି ଭାଇରସରେ ଲକ୍ଷାଧିକ ଲୋକଙ୍କ ପ୍ରାଣହାନୀ ଘଟି ଚାଲିଛି ଏବଂ ଏହାର ମୁକାବିଲା ପାଇଁ ଲକଡାଉନ ଭଳି କଠୋର ପଦକ୍ଷେପ ନେବାକୁ ପଡିଛି । ଏଥିରେ ଶତାଧିକ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । କରୋନାର ପ୍ରକୋପ ପୂର୍ବରୁ ସବୁ କିଛି ସ୍ୱାଭାବିକ ଥିଲା, ପିଲାମାନେ ସ୍କୁଲ ଯାଉଥିଲେ, ଲୋକେ କାମକୁ ଯାଉଥିଲେ, ଆମେ ପରିବାର ଏବଂ ବନ୍ଧୁଙ୍କ ଗହଣରେ ଥିଲେ । ମାତ୍ର ଆଜି ଏମିତି କରିବାରେ ବିପଦ ରହିଛି । ସେ କହିଛନ୍ତି ଏହି ସଙ୍କଟରେ ଦେଶ ଏବଂ ବିକାଶଶୀଳ ଦେଶ ସବୁଠୁ ଅଧିକ ପ୍ରଭାବିତ ହେବେ । ସେମାନଙ୍କୁ ଅରବ ଡଲାରର ବିଦେଶୀ ସହାୟତା ଆବଶ୍ୟକ ପଡିବ ।