ଲସ ଏଞ୍ଜଲେସ- ଓପେକ୍ ଦେଶ ଓ ରୁଷ ମଧ୍ୟରେ ଗୁରୁବାର ଏକ ରାଜିନାମା ଅନୁସାରେ ଅଶୋଧିତ ତୈଳ ଉତ୍ପାଦନରେ ଏକ କୋଟି ବ୍ୟାରେଲ୍ ପ୍ରତିଦିନ ହ୍ରାସ କରିବାକୁ ସହମତି ପ୍ରକାଶ ପାଇଛି । କରୋନା ଭାଇରସ୍ କାରଣରୁ ବିଶ୍ୱ ବଜାରରେ ତେଲର ଚାହିଦା ହ୍ରାସ ପାଇବା କାରଣରୁ ତୈଳ ଉତ୍ପାଦନ କମାଇବାକୁ ଏପରି ନିଷ୍ପତି ନିଆଯାଇଛି । ମେ ମାସରୁ ଉତ୍ପାଦନ ହ୍ରାସ କରାଯିବ । ଏହି ହ୍ରାସ ପରେ ମଧ୍ୟ ଶକ୍ତି କ୍ଷେତ୍ରରେ ନିବେଶକ ଖୁସି ନାହାନ୍ତି । ଏହି ହ୍ରାସ ପରେ ମଧ୍ୟ ଡବ୍ଲ୍ୟୁ ଟି ଆଇ ତେଲରେ ସାତ ପ୍ରତିଶତ କମ୍ ହୋଇଛି ଏବଂ ତେଲ ବ୍ୟାରେଲ ପ୍ରତି ୨୩.୨୮ ଡଲାରରେ ପହଁଚିଛି । ଭାରତ, ଚୀନ ଓ ଆମେରିକା ଅଶୋଧିତ ତୈଳର ସବୁଠୁ ବଡ ଉପଭୋକ୍ତା ଦେଶ ।
ଓପେକ୍ ଦେଶ ଓ ଏହାର ସହଯୋଗୀ ଦେଶ ରୁଷ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ହୋଇଥିବା ରାଜିନାମା ଆଧାରରେ ଏହି ସବୁ ଦେଶ ଗ୍ଲୋବାଲ ଉତ୍ପାଦନରେ ୧୦ ପ୍ରତିଶତ ହ୍ରାସ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏହି ରାଜିନାମା ଅନୁସାରେ ଓପେକ ଦେଶ ଓ ରୁଷ ପ୍ରତି ଦିନ ଏକ କୋଟି ବ୍ୟାରେଲ୍ ତୈଳ ଏବଂ ସହଯୋଗୀ ଦେଶ ୫୦ ଲକ୍ଷ ବ୍ୟାରେଲ୍ ତୈଳ କମ୍ ଉତ୍ପାଦନ କରିବେ ।
ଉଲ୍ଲେଖନୀୟ ସାଉଦି ଆରବ ଓ ରୁଷ ମଧ୍ୟରେ ଗତ ମାର୍ଚ୍ଚରେ ଅଶୋଧିତ ତୈଳ ଉତ୍ପାଦନରେ ହ୍ରାସ ନେଇ ରାଜିନାମା ହୋଇ ପାରିନଥିଲା । କରୋନା ଭାଇରସ୍ ଓ ଅଧା ଦୁନିଆ ଲକଡାଉନରେ ରହିବାରୁ ଅଶୋଧିତ ତୈଳ ଦରର ଚାହିଦା ଅହେତୁକ ହ୍ରାସ ଘଟିଛି । ଫଳରେ ତୈଳ ଦର ଗତ ଦୁଇ ଦଶନ୍ଧିରେ ନିମ୍ନ ସ୍ତରୁ ଖସି ଆସିଥିଲା ।