ଜୟପୁର– କରୋନା ମୁକାବିଲା ପାଇଁ ଦେଶରେ ଲକ୍ ଡାଉନର ଅବଧିକୁ ରାଜ୍ୟ ସରକାର ପୁଣି ବୃଦ୍ଧି କରିଛନ୍ତି । ସେପଟେ ଲକ୍ ଡାଉନର ପ୍ରବାହ ଦେଶର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି l ଏହି ଘଡିସନ୍ଧି ମୂହୁର୍ତ୍ତରେ ମୁଖମନ୍ତ୍ରୀ ରିଲିଫ ପାଣ୍ଠି ”କୋଭିଡ-୧୯”କୁ ରାଜ୍ୟର ଅନେକ ବଦାନ୍ୟ ବ୍ୟକ୍ତିବିଶେଷ ମାନେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ବୈପାରୀଗୁଡାର ପାଞ୍ଚ ବର୍ଷର କୁନି ଝିଅ ରିଲିଫ ପାଣ୍ଠିକୁ ଟଙ୍କା ଦାନ କରିବା ଏକ ନିଆରା ଉଦାହରଣ ସୃଷ୍ଟି କରିଛି l
ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା ପାଞ୍ଚ ବର୍ଷର କୁନି ଝିଅ ନିହାରିକା ଶୂନିଧି ଜେନା ‘କୋଭିଡ-୧୯’ ପାଣ୍ଠିକୁ ନିଜ କୁଣ୍ଡିରେ ଥିବା 1099/- ଟଙ୍କା ଦାନ କରିଛନ୍ତି l ନିହାରିକା ତାଙ୍କ ପିତା ନିରାକାର ଜେନା ଓ ମା କବିତା ଗିରିଙ୍କ ସାଥିରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୁଣ୍ଡିଟିକୁ ପ୍ରଦାନ କରିଥିଲେ l କୁନି ଝିଅ ନିଜ କୁଣ୍ଡିରେ ଗତ ଛ ମାସରୁ ସାଇତି ରଖିଥିବା ଟଙ୍କା ଆଜି ବିଡ଼ିଓ ଅଭିମନ୍ୟୁ କବି ଶତପଥିଙ୍କ ଚାମ୍ବରକୁ ନେଇ ଯାଇଥିଲେ l ଏହି କୁଣ୍ଡି ବିଡ଼ିଓଙ୍କୁ ପ୍ରଦାନ କରିଥିଲେ l ସେଠାରେ ବ୍ଲକ ହିସାବ ଅଧିକାରୀ ଶିବରାମ ମେହେରଙ୍କ ମାଧ୍ୟମରେ ହିସାବ କରିଥିଲେ l ସେଥିରେ 1099/-ଟଙ୍କା ବାହାରିଥିଲା l ଏହି ଟଙ୍କା ଡିଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପଠାଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି l କୁନି ଝିଅଙ୍କ ଏହି ସହାୟତା ଗ୍ରହଣ କରି ବିଡ଼ିଓ ଭାବବିହ୍ବଳ ହୋଇ ଝିଅର ଭବିଷ୍ୟତ ଉଜ୍ବଳ ହେଉ ବୋଲି ଆଶୀର୍ବାଦ ଦେବା ସହିତ ସାଧୁବାଦ ଜଣାଇଛନ୍ତି । ଝିଅର ପିତା ନିରାକାର ଜେନା ଓ ମା କବିତା ଗିରି ଝିଅର ଏପରି କାର୍ଯ୍ୟରେ ଖୁସି ପ୍ରକଟ କରିଛନ୍ତି l କୁନି ଝିଅଙ୍କ ଏହି ପଦକ୍ଷେପ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି l