ଇସଲାମାବାଦ– ପାକିସ୍ତାନରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫୫୨କୁ ବୃଦ୍ଧି ଘଟିଛି । ଏହା ସହିତ ଏହି ମହାମାରୀରେ ୬୫ ଜଣଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନର ସିନ୍ଧ ପ୍ରାନ୍ତରେ ୧୧୨୮, ପଞ୍ଜାବରେ ୨୨୭୯, ବଲୁଚିସ୍ତାନରେ ୨୧୯, ଖୈବର ପଖତୁନଖ୍ଵାରେ ୫୬୦, ଇସଲାମାବାଦରେ ୧୧୮, ଗିଲଗିଟ୍ ବାଲିଷ୍ଟାନରେ ୨୧୫ ଓ ପାକ୍ ଅଧିକୃତ କାଶ୍ମୀରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରହିଛି ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନା ଖାନ ନିକଟରେ ଚେତାବନୀ ଦେଇଥିଲେ ଯେ, ଯଦି ଲୋକେ ସାମାଜିକ ଦୂରତ୍ୱ ପାଳନ କରିବେ ନାହିଁ ତେବେ ଆଗାମୀ ଦିନରେ ଅବସ୍ଥା ଶୋଚନୀୟ ହୋଇପାରେ । ସେ କହିଛନ୍ତି ସରକାର ଓ ପୋଲିସ ବଳପୂର୍ବକ ଲୋକଙ୍କୁ ଘରେ ରଖି ପାରିବେ ନାହିଁ ।
ଉଲ୍ଲେଖନୀୟ, ଚୀନର ଉହାନ ସହରରୁ କରୋନା ଭାଇରସ୍ ମହାମାରୀ ବ୍ୟାପିବା ଆରମ୍ଭ ହୋଇଥିଲା । ସଗମ୍ର ବିଶ୍ୱରେ ୨୦୦ରୁ ଅଧିକ ଦେଶକୁ ଏହି ମହାମାରୀ ବ୍ୟାପି ସାରିଛି । ଅନେକ ଦେଶରେ ଲକଡାଉନ ଜାରି କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଇଛି । ବିଶ୍ୱ ସ୍ତରରେ କରୋନା ଭାଇରସରେ ପାଖାପାଖି ଏକ ଲକ୍ଷଙ୍କ ଜୀବନହାନୀ ଘଟିଲାଣି ।