ବ୍ରହ୍ମପୁର : ଗୁରୁବାର ଠାରୁ ବ୍ରହ୍ମପୁର ମହାନରଗ ନିଗମରେ ଥିବା ସମସ୍ତ ଘରେ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ସହରର ୮ଟି ୱାର୍ଡରେ ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇଥିବା କହିଛନ୍ତି ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଥୋଡ । ଶ୍ରୀ ରାଥୋଡ କହିଛନ୍ତି ଯେ, ୮ଟିମ୍ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାରେ ସାମିଲ୍ ହୋଇଛନ୍ତି । ତେବେ ଯେଉଁ ମାନଙ୍କ ଯାଞ୍ଚ ବେଳେ ଥଣ୍ଡା, କାଶ, କଫ, ଜ୍ୱର ଓ ନିଶ୍ୱାସ ନେବାରେ ଅସୁବିଧା ହେଉଛି ସେମାନଙ୍କୁ ସମ୍ପୃକ୍ତ ଟିମ୍ ଏମ୍କେସିଜି ପଠାଇବା ସହ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ । ଗୋଟିଏ ଟିମ୍ରେ ୪ଜଣ ଯଥା ଜଣେ ଡାକ୍ତର, ଏଏନ୍ଏମ୍, ଆଶା, ଅଙ୍ଗନୱାଡ଼ି କର୍ମୀ ରହିଛନ୍ତି । ପ୍ରଥମ ଦିନରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ଖାଲାସାହି ଠାରେ ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ସ୍ୱାସ୍ଥ୍ୟ ଟିମ୍ ସହ ସାମିଲ୍ ହୋଇ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଥିବା ଦେଖିବାକୁ ମିଳିଥିଲା । ଶୁକ୍ରବାର ଠାରୁ ଆଉ ୧୦ଟି ଟିମ୍ ଏହି ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟରେ ସାମିଲ୍ ହେବେ । ଯାହା ଫଳରେ ଏକା ସାଙ୍ଗରେ ୧୮ଟି ୱାର୍ଡରେ ସ୍କ୍ରିନିଂ ଶୀଘ୍ର ସାରିବ ।
ଖୁବ୍ କମ୍ ସମୟ ଭିତରେ ସ୍ୱାସ୍ଥ୍ୟ ଯାଞ୍ଚ କାମ ସାରିବାକୁ ଯୋଜନା ରହିଥିବା ସେ କହିଛନ୍ତି । ବ୍ରହ୍ମପୁରର ୭ଟି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ କରୋନା ଯାଞ୍ଚ କାର୍ଯ୍ୟରେ ନିୟୋଜିତ କରାଯାଇଛି । କିନ୍ତୁ ଅନ୍ୟ କିଛି ଡାକ୍ତର ଏହି କାର୍ଯ୍ୟରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି ଏବଂ ସେମାନେ ଏଥିପାଇଁ କୌଣସି ଅର୍ଥ ନେବେ ନାହିଁ ବୋଲି କହିଛନ୍ତି । ବିଏମ୍ସି ପକ୍ଷରୁ ସମସ୍ତ ଡାକ୍ତରଙ୍କ ତାଲିକା ଖୁବ୍ଶୀଘ୍ର ପ୍ରକାଶ ପାଇବ ବୋଲି କମିଶନର ରାଠୋର ସୂଚନା ଦେଇଛନ୍ତି । ରାଜ୍ୟ ସରକାର ବର୍ତ୍ତମାନ ଲକ୍ଡାଉନ୍ କଟକଣାକୁ ୧୪ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରିଛନ୍ତି । ବ୍ରହ୍ମପୁରରେ ବର୍ତ୍ତମାନ ସୁଦ୍ଧା କୌଣସି ସମସ୍ୟା ଦେଖାଯାଇନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ କଟକଣା ଜାରି ରହିବ । ସାଧାରଣ ଲୋକ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରଖିବେ ଏବଂ ଜରୁରୀ ନଥିଲେ ଘରୁ ବାହାରକୁ ଆସିବେ ନାହିଁ । ଯଦି କୌଣସି ବ୍ୟକ୍ତି ଘର ବାହାରକୁ ଆସୁଛନ୍ତି, ତାହେଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସହରରେ ସବୁ ଦୋକାନୀଙ୍କୁ ସାମଗ୍ରୀ ବିକ୍ରି କରିବା ସମୟରେ ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ କେତେକ ଦୋକାନୀ ମାନୁନାହାନ୍ତି । ଗୁରୁବାର ବିଏମ୍ସି ସ୍କ୍ୱାଡ୍ ଯାଞ୍ଚ କରୁଥିବା ସମୟରେ ୨ଟି ଦୋକାନରେ ସାମାଜିକ ଦୂରତା ନଥିବାରୁ ସିଲ୍ କରାଯାଇଛି । ପ୍ରେମନଗର ମୁଖ୍ୟ ରାସ୍ତାରେ ଥିବା ଗୋଟିଏ ମେଡ଼ିକାଲ ଷ୍ଟୋର୍ ଓ ତୁଳସୀ ନଗରରେ ଥିବା ଗୋଟିଏ ମିଠା ଦୋକାନ ସିଲ୍ କରାଯାଇଛି । ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ସହରର ବିଭିନ୍ନ ଜାଗାରେ ବିଶୋଧକ ସିଞ୍ଚନ କରାଯାଇଥିବା ଆସିଷ୍ଟାଣ୍ଟ ଫାୟାର ଅଫିସର ସନାତନ ମହାପାତ୍ର କହିଛନ୍ତି । ଗିରିରୋଡ଼ ସହ ବିଭିନ୍ନ ଅଞ୍ଚଳରେ ସିଞ୍ଚନ କାର୍ଯ୍ୟ କରାଯାଇଥିଲା । ସେପଟେ ବିଏମ୍ସି ପକ୍ଷରୁ ମଧ୍ୟ ଧୂଆଁ ଛଡ଼ାଯାଇଥିଲା ଏବଂ ବିଶୋଧକ ମଧ୍ୟ ସିଞ୍ଚନ କରାଯାଇଛି ।