ମୁମ୍ବାଇ– ମୁମ୍ବାଇର ଖାୟଖଲା ଇଲାକାରେ ପୋଲିସ୍ ୫୭ ହଜାର ୫୦୦ ମାସ୍କ ଜବତ କରିଛି । ଜବତ ମାସ୍କର ମୂଲ୍ୟ ୧୭.୨୫ ଲକ୍ଷ ଟଙ୍କା ହୋଇଥିବା ଅଟକଳ କରାଯାଇଛି । ପୋଲିସ୍ ଏହି ମାମଲାରେ ଆରୋପୀ ମହମ୍ମଦ ମିରାଜ ଶେଖକୁ ଗିରଫ କରିଛି ।
ପୋଲିସ୍ ଅନୁଯାୟୀ ମହମ୍ମଦ ମିରାଜ ଶେଖ ଭାୟଖଲାରେ ସ୍ଥିତ ଟ୍ୟାଙ୍କ ପାଖାଡି ଇଲାକାରେ ମାସ୍କ ଜମା କରି ରଖିଥିଲା । ଶେଖ ଏହି ସବୁ ମାସ୍କକୁ ଚଢା ଦରରେ ବିକିବାକୁ ଚେଷ୍ଟା କରୁଥିଲା । ଏହାର ସୂଚନା ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ ବୁଧବାର ମିଳିଥିଲା । ସୂଚନା ଆଧାରରେ ପୋଲିସ୍ ବୁଧବାର ରାତିରେ ଟ୍ୟାଙ୍କ ପାଖାଡି ଇଲାକାରେ ଚଢାଉ କରି ୫୭ ହଜାର ୫୦୦ ମାସ୍କ ଜବତ କରିଛି । ଏହି ଘଟଣାରେ ପୋଲିସ୍ ମହମ୍ମଦକୁ ଗିରଫ କରିବା ସହିତ ଅନ୍ୟ ସାଥୀଙ୍କୁ ଧରିବା ପାଇଁ ଧରପଗଡ ଜାରି ରଖିଛି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ପୀଡିତ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ମୁମ୍ବାଇ, ପୁଣେ ଓ ନାଗପୁରରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରିଛନ୍ତି । ଏହା ପରେ ମମ୍ବାଇ ସହିତ ଅନ୍ୟ ସହରରେ ମାସ୍କର ଚାହିଦା ଅହେତୁକ ବୃ୍ଦ୍ଧି ଘଟିଛି । ଚାହିଦାକୁ ଦେଖି କଳାବଜାରୀ କରି ମାସ୍କକୁ ଚଢା ଦରରେ ବିକିବାକୁ ମହମ୍ମଦ ଓ ତାର ସାଥୀ ପ୍ରସ୍ତୁତି କରୁଥିଲେ । ଏହା ପୂର୍ବରୁ ମୁମ୍ବାଇର ଅନ୍ଧେରୀ, ମାଲାଡ, କାନ୍ଦିଭଲି ଓ ପୁଣେରେ ମାସ୍କର କଳାବଜାରୀ କରୁଥିବା ଲୋକଙ୍କୁ ପୋଲିସ୍ ଗିରଫ କରିଥିଲା ।