ଜିନେଭା– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଦ୍ୱାରା ଜାରି ଏକ ଦୈନିକ ବୁଲେଟିନ୍ ଅନୁସାରେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୫୩ ହଜାର ୩୬୧ରେ ପହଁଚିଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୭୯,୨୩୫କୁ ବୃଦ୍ଧି ଘଟିଛି । ଗତ ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୭୩ ହଜାର ୬୩୯ ବୃ୍ଦ୍ଧି ଘଟିଥିବା ବେଳେ ୬,୬୯୫ ଜଣଙ୍କ ମୃତ୍ୟୁ ଘଟିଛି । ଡବ୍ଲ୍ୟୁଏଚଓ କହିଛି ଯେ, ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟାରେ ଗୋଟିଏ ଦିନରେ ଏହା ସବୁଠୁ ବଡ ବୃଦ୍ଧି ।
ୟୁରୋପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବାର୍ଧିକ ୭ ଲକ୍ଷ ୨୦ ହଜାର ୨୧୯ ରହିଥିବା ବେଳେ ୫୭ ହଜାର ୩୬୯ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଉତ୍ତର ଓ ଦକ୍ଷିଣ ଆମେରିକା ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୪ ଲକ୍ଷ ୧୭ ହଜାର ୪୧୬ ରହିଛି । ଏହି ମହାମାରୀରେ ୧୨ ହଜାର ୫୯୭ ଜଣଙ୍କ ମୃତ୍ୟୁ ଘଟି ସାରିଛି । ମୃତ୍ୟୁ ମାମଲାରେ ଏହା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ପଶ୍ଚିମ ପ୍ରଶାନ୍ତ କ୍ଷେତ୍ର ଚୀନ, ଦକ୍ଷିଣ କୋରିଆ ଓ ଜାପାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୬୬୭ ରହିଥିବା ବେଳେ ଏପ୍ରିଲ ୩ ସୁଦ୍ଧା ୩,୯୨୨ ଜଣଙ୍କ ମୃତ୍ୟୁ ସହିତ ତୃତୀୟ ସ୍ଥାନରେ ରହିଛି ।
ଡବ୍ଲ୍ୟୁଏଚଓ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଆମେରିକା କରୋନା ଭାଇରସର ୩ ଲକ୍ଷ ୬୩ ହଜାର ୩୨୧ ଆକ୍ରାନ୍ତଙ୍କ ସହ ଶୀର୍ଷରେ ରହିଛି । ଏହା ପରେ ସ୍ପେନ(୧,୪୦,୫୧୦), ଇଟାଲୀ(୧,୩୫,୫୮୬), ଜର୍ମାନୀ(୧,୦୩,୨୨୮) ଓ ଚୀନ(୮୩,୧୫୭) ରହିଛି । ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୧ରେ ଡବ୍ଲ୍ୟୁଏଚଓ କରୋନା ଭାଇରସକୁ ମହାମାରୀ ଘୋଷିତ କରିଥିଲା ।