
ପୁରୀ– ପୁରୀ-କୋଣାର୍କ ରାସ୍ତାର ରାମଚଣ୍ଡୀ ମୁହାଣ ନିକଟରେ ଗୁରୁବାର ସକାଳୁ ଜଣେ ଅଜଣା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି ।
ଘଟଣାରୁ ପ୍ରକାଶ ଯେ, ଆଜି ସକାଳୁ ମୁହାଣ ନିକଟରେ ଜଣେ ବିବିସ୍ତ୍ର ମହିଳାଙ୍କ ଶବ ଲାଗିଥିବା ମତ୍ସ୍ୟଜିବୀ ମାନେ ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ମହିଳା ଜଣକ ଦେହରେ କୌଣସି ବସ୍ତ୍ର ନଥିବା ବେଳେ ତାଙ୍କ ଡ଼ାହାଣ ଗୋଡରେ ଏକ ପାଉଁଜି ଲାଗି ରହିଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କ ବୟସ ପ୍ରାୟ ୪୫ ହେବ । ପୋଲିସ ପକ୍ଷରୁ ଶବ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି ।