ବ୍ରହ୍ମପୁର: କରୋନା ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଓ ସହରାଞ୍ଚଳର ପ୍ରତ୍ୟେକ ସାହିରେ ନିର୍ଦ୍ଦିଷ୍ଟ ଟିମ୍ ଘର ଘର ବୁଲି ଖବର ସଂଗ୍ରହ କରିବେ । ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ସ୍ୱାସ୍ଥ୍ୟ ସୁପରଭାଇଜରଙ୍କୁ ନେଇ ଟିମ୍ ଗଠନ କରାଯିବ । ନିର୍ଦ୍ଦିଷ୍ଟ ଫର୍ମରେ ଉକ୍ତ ପରିବାରର ସଦସ୍ୟଙ୍କ ନାମ, ଟେଲିଫୋନ୍ ନମ୍ବର ଏବଂ ଯଦିକିଛି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି ତାହା ଉଲ୍ଲେଖ ରହିବ । ଡାକ୍ତରୀ ଦଳ ଏହି ପୀଡିତ ମାନଙ୍କୁ ପରୀକ୍ଷା କରିବେ । ଫଳରେ କରୋନାର ଯଦିକିଛି ସମ୍ପୃକ୍ତ ବାହକ ଥାଏ ତାହା ନିରଦ୍ରିଷ୍ଟ ଭାବେ ଜଣାପଡିଯିବ । ଜିଲ୍ଲା ପ୍ରଶାସନ ନିର୍ଦ୍ଦିଷ୍ଟ ଫର୍ମ ପ୍ରଦାନ କରିବ । ତିନିଦିନ ମଧ୍ୟରେ ଏହି ଯାଞ୍ଚ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମୃତକ ମାନଙ୍କର ଦାହ ଏବଂ ଶବ ସତ୍କାର ପାଇଁ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ତାଲିମ ଦିଆଯିବ । ଲକ୍ ଡାଉନ୍ ପରେ ବାହାରୁ କେତେ ଲୋକ ଜିଲ୍ଲାକୁ ଫେରିବେ ତାର ନିର୍ଦ୍ଦିଷ୍ଟ ତାଲିକା ବିଡିଓ ପ୍ରଦାନ କରିବେ । ଚୋରା ମଦ କାରବାର ଉପରେ ନଜର ରଖିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁସବୁ ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି ତାର ସମ୍ପୂର୍ଣ୍ଣ ତାଲିକା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବା ପାଇଁ କୁହାଯାଇଛି । ଅଧିକାରୀମାନେ ଗସ୍ତ ସମୟରେ କିଛି ଖାଦ୍ୟ ଗାଡିରେ ମହଜୁତ ରଖିବେ ଫଳରେ ହଠାତ୍ କୌଣସି ନିରାଶ୍ରୟ ବ୍ୟକ୍ତିଙ୍କୁ ତାହା ପ୍ରଦାନ କରିହେବ । ଯେଉର୍ମାନେ ସହାୟତା ଦେବାକୁ ଚାହୁଁଛନ୍ତି ସେମାନେ ଜିଲ୍ଲା କରୋନା ସେଲ୍ରେ ତାହା ପ୍ରଦାନ କରିପାରିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଛୋଟ ପିଲା କିମ୍ବା ବୟସ୍କ ବ୍ୟକ୍ତି ଆଦୌ ବାହାରକୁ ନବାହାରିବା ପାଇଁ କୁହାଯାଇଛି । ମୁହଁକୁ ଆବୃତ୍ତ କରି ନରଖିଲେ ଯେକୌଣସି ବ୍ୟକ୍ତି ଜୋରିମାନାର ସମ୍ମୁଖିନ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉମାଶଙ୍କର ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।