ଭୁବନେଶ୍ୱର– ଦେଶରେ କରୋନା ସଂକ୍ରମଣକୁ ପ୍ରୋତ୍ସାହିତ କରିଥିବା ତବଲିଗି ଜମାତର ମୁଖ୍ୟ ମୌଲାନା ସାଦକୁ ଏବେ ପର୍ଯ୍ୟନ୍ତ ଗିରଫ କରାଯାଇ ନଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ବିଭାଗ ସମ୍ପାଦକ ଶାନ୍ତନୁ କୁସୁମ । ଏହାସହ ଦେଶବାସୀକୁ ବିପଦ ମୁହଁକୁ ଠେଲି ଦେଇଥିବା ମୌଲାନା ସାଦକୁ ରାଷ୍ଟ୍ରଦ୍ରୋହ ମାମଲାରେ ଅତିଶୀଘ୍ର ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରିବାକୁ ସେ ଦାବୀ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ସରକାରଙ୍କ କରୋନା କଟକଣାକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରି ସମ୍ପୂର୍ଣ ଦେଶବାସୀକୁ ବିପଦ ମୁହଁକୁ ଠେଲି ଦେଇଥିବା ମୌଲାନା ସାଦ ଆଜି ପର୍ଯ୍ୟନ୍ତ ଗିରଫ ନହେବା ଦେଶର ଆଇନ ବ୍ୟବସ୍ଥା ପ୍ରତି ଏକ ଉପହାସ । ଦେଶବାସୀଙ୍କ ବିରୁଦ୍ଧରେ ଏତେ ବଡ଼ ଷଡଯନ୍ତ୍ର କରିଥିବା ବ୍ୟକ୍ତି ଯଦି ଗିରଫ ନହୋଇ ବାହାରେ ର୍ନିଭୀକ ଭାବରେ ବିଚରଣ କରିବ, ତାହେଲେ ଆଇନ ଓ ବ୍ୟବସ୍ଥା ଠାରୁ ସାଧାରଣ ଜନତାଙ୍କ ଆସ୍ଥା ତୁଟିଯିବା ସୁନିଶ୍ଚିତ । ତାଛଡା ଯେଉଁଠି ସାଧାରଣ ଜନତାଙ୍କ ଛୋଟ ଛୋଟ ତ୍ରୁଟିରେ ଆଇନ କ୍ରିୟାଶୀଳ ହୋଇ ନିର୍ଦୟ ଭାବରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ , ସେଠି ରାଷ୍ଟ୍ରକୁ ବିପଦ ମୁଁହକୁ ଠେଲି ଦେଇଥିବା ଜଣେ ବ୍ୟକ୍ତି ପ୍ରତି ଆଇନ କାହିଁକି ଏତେ ଅନୁକମ୍ପା ପ୍ରଦର୍ଶନ କରୁଛି ବୋଲି କୁସୁମ ପ୍ରଶ୍ନ କରିଛନ୍ତି । ମୌଲାନା ସାଦଙ୍କ କାର୍ଯ୍ୟକଳାପ ଯୋଗୁଁ ଆଜି ସରକାରଙ୍କ ସବୁ ଯୋଜନା ଓ ପରିଶ୍ରମର ଫସର ଫାଟିଥିବା ବେଳେ ତବଳିଗି ଜମାତ ସମ୍ମିଳନୀରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଆଜିଯାଏ ୧୪୪୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ତେଣୁ ମୌଲାନା ସାଦକୁ ଅତିଶୀଘ୍ର ରାଷ୍ଟ୍ରଦ୍ରୋହ ମାମଲାରେ ଗିରଫ କରିବା ପାଇଁ ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି ।