ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ବିଜେପୁର ଆସନରେ ଉପନିର୍ବାଚନ କରାଯିବା ନେଇ ତାରିଖ ଘୋଷଣା ପରେ ରାଜ୍ୟରେ ଥିବା ପ୍ରମୁଖ ରାଜନୈତିକ ଦଳ ଗୁଡିକ ସକ୍ରିୟ ହୋଇପଡିଛନ୍ତି । ବିଶେଷ କରି ବିଜେଡି , ବିଜେପି ଓ କଂଗ୍ରେସ ବିଜେପୁର ବିଜୟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସମସ୍ତ ଦଳ ପାଇଁ ବିଜେପୁର ଆସନ ସମ୍ମାନ ରକ୍ଷା କରିବାର ଶେଷ ସୁଯୋଗ ବୋଲି ଆଲୋଚନା ହେଉଛି ।
ଏସମ୍ପର୍କରେ କଂଗ୍ରସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବିଧାନସଭାରେ ତାଙ୍କ ଦଳର ୯ ଜଣ ବିଧାୟକ ରହିଛନ୍ତି । କଂଗ୍ରେସର ଜୁନିଅର ଓ ସିନିଅର କ୍ୟାଡର ମଧ୍ୟ ରହିଛନ୍ତି , ସମସ୍ତେ ଜଗି ରହିବେ । ପାଟକୁରା ନିର୍ବାଚନ ପରେ ବିଜେପୁର ଆସନରେ ବିଜୟୀ ହେବା ସମ୍ମାନର ପ୍ରସଙ୍ଗ । କଂଗ୍ରେସର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାପାଇଁ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଆସିବେ । ବିଜେପୁର ହେଉଛି କଂଗ୍ରେସର ପୁରୁଣା ଗଡ । ତାହାକୁ ପୁନର୍ବାର ହାତେଇବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇଛି । ବିଜେପୁର ପାଇଁ କଂଗ୍ରେସର ପ୍ରାର୍ଥୀ କିଏ ହେବେ ସେଥିପାଇଁ ବରିÂ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ୧୦ ଜଣିଆ କମିଟି ଗଠନ କରାଯାଇଛି । ସମସ୍ତେ ଗ୍ରହଣ କଲା ଭଳି ଦଳୀୟ ପ୍ରାର୍ଥୀ କରାଯିବ । ରିପୁନାଥ ସେଠ କିମ୍ବା ତାଙ୍କ ପୁଅଙ୍କୁ କଂଗ୍ରେସ ଟିକେଟ୍ ମିଳିପାରେ ବୋଲି ଆଲୋଚନା ହେଉଛି । ସେହିପରି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି ଯେ ବିଜେପୁରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ । କଂଗ୍ରେସର ପ୍ରଦର୍ଶନ ସମ୍ମାନଜନକ ହେବ । ଅପରପକ୍ଷରେ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ବିଜେପୁର ଉପନିର୍ବାଚନରେ ବିଜେପି ବିଜୟୀ ହେବ । ବିଜେଡି ପକ୍ଷରୁ ପ୍ରତାପ ଦେବ କହିଛନ୍ତି ଯେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ନିର୍ବାଚନ ଲଢି ଲକ୍ଷାଧିକ ଭୋଟରେ ଜିତିଥିଲେ । ତେବେ ହିଂଜିଳି ଆସନକୁ ରଖି ମୁଖ୍ୟମନ୍ତ୍ରୀ ବିଜେପୁର ଆସନରୁ ଇସ୍ତଫାଦେଇଥିଲେ । ଉପ ନିର୍ବାଚନରେ ମଧ୍ୟ ବିଜେଡି ହିଁ ଜିତିବ । ଆମେ ଲୋକଙ୍କ ପାଖକୁ ଯିବୁ ବୋଲି ସେ କହିଛନ୍ତି ।