ଧର୍ମଶାଳା – ଜିଲା ପ୍ରଶାସନର ଘୋଷଣା ପରେ ମଧ୍ୟ ନିଷିଦ୍ଧାଚଂଳକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଂହଚି ନ ଥିବାରୁ ଅନେକ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଲୋକେ ଖାଦ୍ୟ ଖାଇବାରୁ ବଂଚିତ ହୋଇଛନ୍ତି । ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତରେ । ଏହି ପଂଚାୟତ କୋଠଡିହ, ବଡରାଏପଡା, ବାଙ୍କସାହି ଆଦି ଗ୍ରାମକୁ ଜିଲା ପ୍ରଶାସନ ନିଷିଦ୍ଧାଚଂଳ ଭାବେ ଘୋଷଣା କରିଛନ୍ତି ।
ଯାଜପୁର ଜିଲା ରସୁଲପୁର ବ୍ଳକ ବ୍ରହ୍ମବରଦାରେ ଚଳିତ ମାସ ୪ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା । ପ୍ରଥମେ ଶନିବାର ଦିନ ବ୍ରହ୍ମବରଦାକୁ ସଟ୍ ଡାଉନ ଘୋଷଣା କରାଯିବା ସହିତ ବ୍ରହ୍ମବରଦାର ଆଖପାଖ ୩ କି.ମି. ପର୍ଯ୍ୟନ୍ତ ସୀମାକୁ ସିଲ୍ କରାଯାଇଥିଲା । ୪୮ ଘଂଟା ପରେ ଜିଲା ପ୍ରଶାସନ ପକ୍ଷରୁ ଏହି ବ୍ରହ୍ମବରଦାକୁ ମିଶାଇ ୧୨ ଗୋଟି ଗ୍ରାମକୁ ନିଷିଦ୍ଧାଚଂଳ ଭାବେ ଘୋଷଣା କଲେ । ପୁଣି ଆଜି ଅପରାହ୍ନରେ ଜିଲାପାଳ ଏହି ନିଷିଦ୍ଧାଚଂଳର ଅବଧିକୁ ୧୨ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥି ନିମନ୍ତେ ଜନସାଧାରଣଙ୍କୁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ହାତ ପାହାନ୍ତାରେ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ତିନି ଗ୍ରାମର ଦାୟିତ୍ୱ ଧର୍ମଶାଳା ବିଡିଓଙ୍କୁ ଦିଆଯାଇଥିଲା । ହେଲେ ୪ ଦିନ ବିତିଯାଇଥିଲେ ମଧ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ପାଖରେ ପଂହଚି ପାରିଲା ନାହିଁ । ଯାହାକୁ ନେଇ ଜିଲା ପ୍ରଶାସନର ନିର୍ଦ୍ଦେଶକୁ ଅବମାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ହେଲେ ଲୋକେ ଘରୁ ପଦାକୁ ବାହାରି ପାରୁ ନଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ବଜାରକୁ ଯାଇପାରୁ ନାହାନ୍ତି । ଘରେ ମହଜୁଦ ଥିବା ଖାଦ୍ୟ ସାମଗ୍ରୀ ସରିବାକୁ ବସିଲାଣି । ଛୋଟ ଛୋଟ ପିଲାମାନଙ୍କ ଖାଦ୍ୟ ସରିଯିବାରୁ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଯାଜପୁର ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା କାଲି ଏହି ସବୁ ଗ୍ରାମର ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଧର୍ମଶାଳା ବିଡିଓ ସ୍ମିତା ରଥ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।