ହରିଚନ୍ଦନପୁର – କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଅର୍ନ୍ତଗତ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ବାଇଲୋବେଡା ଗ୍ରାମରେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବନ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ୭୦ ହଜାର ଟଙ୍କାର ଶାଳକାଠ ଜବତ ହୋଇଛି । ଖବର ଅନୁଯାୟୀ, ଉକ୍ତ କାଠଗୁଡିକ ନିକଟସ୍ଥ ଜଙ୍ଗଲରୁ କାଟି ମାଫିଆ ମାନେ ଚୋରା ଚାଲାଣ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ହେଲେ ବନବିଭାଗର ପେଟ୍ରୋଲିଂ ଚାଲିଥିବା ଦେଖି ଭୟଭୀତ ହୋଇ ଚାଲାଣ ବଦଳରେ ଉକ୍ତ ନାଳର ପାଣି ଭିତରେ ଲୁଚାଇ ପଳାଇଥିଲେ । ଶୁକ୍ରବାର ରାତି ବନବିଭାଗ କର୍ମଚାରୀ ପେଟ୍ରୋଲିଂ ସମୟରେ କାଠ ଗୁଡିକ ନାଳ ମଧ୍ୟରେ ଲୁଚାଯାଇଥିବାର ସନ୍ଧାନ ପାଇଥିଲେ । ଶନିବାର ଡିଏଫଓ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ଉ କରାଯାଇ ନାଳ ଭିତରେ ଓ ନିକଟରେ ଲୁଚାଯାଇଥିବା କାଠକୁ ଜବତ କରାଯାଇଛି ।
ଏହି ଚଢ଼ଉରେ ହରିଚନ୍ଦପୁର ବନପାଳ ବୁଦ୍ଧଦେବ ସାହୁ, ଡ୍ରାଇଭର ସଞ୍ଜୟ ମହାନ୍ତ, ଭଗାମୁଣ୍ଡା ଫରେଷ୍ଟ ଗାର୍ଡ ମଙ୍ଗୁଳି ଚରଣ ସାହା, ଦେଓଗାଁ ଫରେଷ୍ଟର ଦାଶରଥି ବେଜଙ୍କ ସହ ବିଭାଗୀୟ ଅନ୍ୟ କର୍ମଚାରୀ ସାମିଲ୍ ଥିଲେ । ଜବତ କାଠ ଗଣ୍ଡି ଗୁଡିକୁ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି । ଜବତ କାଠର ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ ବୋଲି ବନପାଳ ସୂଚନା ଦେଇଛନ୍ତି ।