ମାଲକାନଗିରି – ଜିଲ୍ଲାର ପଡ଼ିଆ ବ୍ଲକ ଶିମିଳିବାଞ୍ଛା ପଚାଂୟତ ଅନ୍ତର୍ଗତ କାପନପଲ୍ଲୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ବିଧବା ଯାଆଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନାବାଳକ ଗୁରୁତର ଆହତ ହୋଇଛି । ମୃତକ ଦ୍ୱୟ ହେଲେ ଦେବେ ମାଢ଼ି (୪୫) ଓ ରାଜେ ମାଢ଼ି (୫୦) । ଗୁରୁତର ଆହତ ନାବାଳକ ରାଜେ ମାଢ଼ିଙ୍କ ୧୪ ବର୍ଷିୟ ପୁଅ ଭୀମା ମାଢ଼ି ବୋଲି ଜଣାପଡିଛି । ସମ୍ପ୍ରତି ସେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସଧିନ ରହିଛି ।
ଦେବେ ଓ ରାଜେଙ୍କ ସ୍ୱାମୀଙ୍କ ପୂର୍ବରୁ ଦେହାନ୍ତ ହୋଇସାରିଛି । ସେଥିପାଇଁ ଦୁହେଁ ଏକାଠି ରହୁଥିଲେ । ଗତକାଲି ରାତିରେ ପରିବାରର ସମସ୍ତ ସଦସ୍ୟ ରାତ୍ରୀ ଭୋଜନ ସାରି ଶୋଇ ଯାଇଥିଲେ । ବିଳମ୍ବିତ ରାତିରେ କୌଣସି ବିଷାକ୍ତ ସାପ ଘରେ ପଶି ତିନି ଜଣଙ୍କୁ କାମୁଡ଼ି ଦେଇଥିଲା । ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନେଉଥିଲେ । ତେବେ ବାଟରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପଡ଼ିଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ କାଲିମେଳା ମେଡିକାଲକୁ ପଠାଇଛି । ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି ।
ଅନ୍ୟପକ୍ଷରେ ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହିତ ଗୁରୁତର ନାବାଳକର ସମସ୍ତ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ଗ୍ରହଣ କରୁ ବୋଲି ଗ୍ରାମବାସୀ ପକ୍ଷରୁ ଦାବି ହୋଇଛି ।