ନୂଆଦିଲ୍ଲୀ– କୋଭିଡ୍-୧୯ ମହାମାରୀରେ ସମଗ୍ର ଦୁନିଆରେ ହାହାକାର ସୃଷ୍ଟି ହୋଇଛି। କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ସମସ୍ତ ଦେଶ ନିଜ ନିଜ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି। ଏହା ମଧ୍ୟରେ ଔଷଧୀୟ ସହାୟତାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ ଭାରତ ସହିତ ତାଙ୍କର ସଂପର୍କରେ କିଛିଟା ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଏହା ଉପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟୁଇଟ୍ ଜରିଆରେ ଟିପ୍ପଣୀ କରି କେନ୍ଦ୍ରର ମୋଦୀ ସରକାରଙ୍କୁ ସମସ୍ତଙ୍କୁ ସହାୟତା କରିବା କଥା କହିଛନ୍ତି । ମାତ୍ର ପ୍ରଥମେ ଭାରତୀୟଙ୍କ ଧ୍ୟାନ ରଖାଯିବା ଉପରେ ମଧ୍ୟ ଜୋର ଦେଇଛନ୍ତି ।
ଟ୍ରମ୍ପଙ୍କ ବୟାନ ପରେ ରାହୁଲ ଗାନ୍ଧୀ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି, ମିତ୍ରଙ୍କଠାରେ ପ୍ରତିଶୋଧର ଭାବନା ? ଭାରତକୁ ସମସ୍ତ ଦେଶକୁ ସହାୟତା କରିବାକୁ ପ୍ରସ୍ତୁତ ରହିବା ଉଚିତ୍ ମାତ୍ର ସର୍ବ ପ୍ରଥମେ ଜୀବନ ରକ୍ଷକ ସମସ୍ତ ଔଷଧ ଓ ଉପକରଣ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଁଚାଇବା ଜରୁରୀ ଅଟେ ।
ଏହା ପୂର୍ବରୁ ମଙ୍ଗଳବାର ସକାଳେ ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଡା ଶବ୍ଦ ପ୍ରୟୋଗ କରି କହିଥିଲେ ଯେ, ଯଦି ଭାରତ ହାଇଡ୍ରୋକ୍ସି କ୍ଲୋରୋକୁଇନ(ଏଚସିକ୍ୟୁ)ର ଯୋଗାଣ ଆରମ୍ଭ କରିନଥାନ୍ତା ତେବେ ଆମେରିକା ଏହାର ଦୃଢ ଜବାବ ଦେଇଥାନ୍ତା । ମାତ୍ର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରି ଦେଇଛି ଯେ, ପଡୋଶୀ ଓ କରୋନାରେ ଶୋଚନୀୟ ଭାବେ ପ୍ରଭାବିତ ଦେଶଗୁଡିକୁ ପାରାସିଟାମୋଲ ଓ ଏଚସିକ୍ୟୁ ରପ୍ତାନୀ କରାଯିବ । ମାତ୍ର ଏହା ପୂର୍ବରୁ ଦେଶରେ ଆବଶ୍ୟକ ଅନୁଯାୟୀ ଏହି ସବୁ ଔଷଧର ମହଜୁଦ ସୁନିଶ୍ଚିତ କରାଯାଉ ।