
ବ୍ରହ୍ମପୁର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବାକୁ ସାରା ବିଶ୍ୱରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆସିକାରେ ମଧ୍ୟ ଲକ୍ ଡାଉନ୍ ସାଙ୍ଗକୁ ୧୯ଘଣ୍ଟିଆ ସଟ୍ଡାଉନ୍ କଡାକଡି କରାଯାଇଛି । ଏହି ଲକ୍ ଡାଉନ୍ ଓ ସଟ୍ ଡାଉନ୍କୁ କଡାକଡି ଭାବେ ପାଳନ କରିବା ଲାଗି ପୁଲିସ୍ ପ୍ରଶାସନ ଅହରହ ପ୍ରଚେଷ୍ଟା ଜାରି ରଖିଛି । କିନ୍ତୁ ପ୍ରଶାସନର ଏହି କଟକଣାକୁ କିଛି ଅମାନିଆ ଗାଡି ଚାଳକ ସହଜରେ ମାନିବା ପାଇଁ ଅମଙ୍ଗ ହେଉଥିବା ଲକ୍ଷ୍ୟ କରାଯାଇଛି । ବାଇକ ବ୍ୟବହାର କରିବାକୁ ଗାଡି ଚାଳକଙ୍କୁ ମନା କରାଯାଉଥିଲେ ମଧ୍ୟ ବହୁ ବ୍ୟକ୍ତି ବାଇକ୍ ଧରି ବୁଲୁଥିବା ଦେଖିବାକୁ ମିଳୁଛି । ଅମାନିଆ ବାଇକ ଚାଳକଙ୍କୁ ସାବାଡ କରିବା ଲାଗି ପୁଲିସ୍ ବହୁ ପଦକ୍ଷେପ ନେଉଥିବା ବେଳେ ଆସିକା ଥାନାର ଜଣେ କର୍ତ୍ତବ୍ୟରତ କନେଷ୍ଟବଲ୍ ଜେ. ଭୂଜେନ୍ଦ୍ର ରାଓ ଅନ୍ୟ ଏକ ଉପାୟରେ ବାଇକ ଚାଳକଙ୍କୁ ସଚେତନ କରିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ୱର୍ଯ୍ୟ କରିଦେଇଛି । ଆସିକା ଥାନାର କନେଷ୍ଟବଳ ଜେ.ଭୂଜେନ୍ଦ୍ର ରାଓ ବାଇକ ଚାଳକଙ୍କୁ ନିଆରା ଢଙ୍ଗରେ ସଚେତନ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଯେଉଁ ବାଇକ ଚାଳକ ମାନେ ଆମନିଆ ହୋଇ ଲକ୍ ଡାଉନ୍ ଓ ସଟ୍ ଡାଉନ୍କୁ ମାନୁନାହାନ୍ତି ସେମାନଙ୍କୁ ଆସିକା ଥାନାର କନେଷ୍ଟବଳ ଜେ. ଭୂଜେନ୍ଦ୍ର ରାଓ ହାତ ଯୋଡି ବାହାରେ ବୁଲାବୁଲି କରନାହିଁ ବୋଲି ନିବେଦନ କରୁଥିବା ଦେଖିବାକୁ ମିଳୁଛି ।