ଭୁବନେଶ୍ୱର – ବିଶ୍ୱରେ ଆତଙ୍କ ସୃଷ୍ଟ କରିଥିବା ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି । ମୃତକ ଜଣକ ୭୨ ବର୍ଷୀୟ ଏବଂ ତାଙ୍କ ଘର ଭୁବନେଶ୍ୱରରେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ଭୁବନେଶ୍ୱର ସ୍ଥିତ ଏମସ୍ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଂଚଳରେ । ସେ ଗତ ଏପ୍ରିଲ ୪ ତାରିଖରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଏମସକୁ ଚିକିତ୍ସା ପାଇଁ ଯାଇଥିଲେ । ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଆରଏମଆରସି ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଥିଲା । ପରୀକ୍ଷା ରିପୋର୍ଟରୁ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।
ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି । ଏଥିସହ ଝାରପଡ଼ା ଅଂଚଳକୁ କେଂଟନମେଂଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।