ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ୟୁନିଟି-୪ ଅନ୍ତର୍ଗତ ମଧୁସୂଦନ ନଗର ଅଂଚଳରେ ଓ ତାଙ୍କର ବୟସ ୪୫ ବର୍ଷ ବୋଲି ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଛି । ତେବେ ତାଙ୍କର ବିଦେଶ ଗସ୍ତ କିମ୍ବା ରାଜ୍ୟ ବାହାରକୁ ଗସ୍ତ ନେଇ କୌଣସି ସୂଚନା ଦିଆଯାଇନାହିଁ । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଂଚିଛି । ଏଥିସହ ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୩୩ ହୋଇଛି ।
ଅନ୍ୟପକ୍ଷରେ ଗତକାଲି ଭୁବନେଶ୍ୱର ଝାରପଡାର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଏମସ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କର ନମୂନା ପରୀକ୍ଷାରୁ କରୋନା ପଜିଟିଭ୍ ବାହାରିଥିଲା ।
ସେହିପରି ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଦୁବାଇ ଫେରନ୍ତା ୩୨ ବର୍ଷୀୟ ଯୁବକଙ୍କ ଶରୀରରେ କୋରନା ଭୂତାଣୁ ମିଳିଥିଲା । ଆଳି ବ୍ଲକ୍ ର ଏହି ଯୁବକ ଜଣକ ଗତ ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ସେହିଦିନ ଗାଁ ଲୋକେ ଏ ନେଇ ଥାନାକୁ ଜଣାଇଥିଲେ । ମଙ୍ଗଳବାର ଉକ୍ତ ଅଂଚଳକୁ ସିଲ୍ କରିଦିଆଯାଇଛି ।