ହରିଚନ୍ଦନପୁର– କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ବନବିଭାଗ ଅଧିନସ୍ଥ ମାନପୁର ସଂରକ୍ଷିତ ଜଙ୍ଗଲ ହୁ ହୁ ହୋଇ ଜଳୁଛି ।
ଖବର ଅନୁଯାୟୀ, ଗତ ରବିବାର ଠାରୁ ଉକ୍ତ ଜଙ୍ଗଲରେ କୈାଣସି କାରଣରୁ ନିଆଁ ଲାଗିଯାଇଛି । ତାହାକୁ ନେଇ ନିକଟସ୍ଥ ଗ୍ରାମର ଲୋକମାନେ ଫରେଷ୍ଟର ଓ ଦାୟିତ୍ଵରେ ଥିବା ଫରେଷ୍ଟ ଗାର୍ଡଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ହେଲେ ଫରେଷ୍ଟର ଓ ଗାର୍ଡ ଖାମଖିଆଲି ମନୋଭାବ ରଖି ଲୋକଙ୍କ ଅଭିଯୋଗକୁ ନଶୁଣି ନିରବ ରହିଥିଲେ । ଜଙ୍ଗଲ ଜଳୁଥିବା ଦେଖି ଲୋକମାନେ ପୁଣି ସୋମବାର ଦିନ ଫରେଷ୍ଟର ଓ ଗାର୍ଡଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ଫରେଷ୍ଟର ଓ ଗାର୍ଡ ଫୋନ୍ ନଉଠାଇବା କାରଣରୁ ଉପରିସ୍ଥ ଅଧିକାରୀଙ୍କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଉପରିସ୍ଥ ଅଧିକାରୀଙ୍କ ତାଗିଦ୍ ପରେ ଗାର୍ଡ ଜଣକ ଅଭିଯୋଗ କରିଥିବା ଲୋକମାନଙ୍କ ଉପରେ ରାଗି ବିଭିନ୍ନ କଥା କହିଥିଲେ । ଅଧିକାରୀଙ୍କ ତାଗିଦ୍ ପରେ ନିଆଁ ଲିଭାଇବା ପାଇଁ ଏକ ୬ ଜଣିଆ ଟିମ୍ ପ୍ରସ୍ତୁତ କରାଇବା ସହ ଦୁଇଟି ନିଆଁଲିଭା ମେସିନ ଘଟଣାସ୍ଥଳକୁ ପଠାଇଥିଲେ । ହେଲେ ସେଥିରେ ତେଲ ସରିଯିବାରୁ ଜଙ୍ଗଲରୁ ନିଆଁକୁ ଅଧା ଲିଭାଇ ଟିମ୍ ପଳାଇ ଆସିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଏନେଇ ଫରେଷ୍ଟରଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରେ ଫରେଷ୍ଟର ଜଣକ ଜଙ୍ଗଲରୁ ସମ୍ପୂର୍ଣ୍ଣ ନିଆଁକୁ ଆୟତ୍ତ କରି ଟିମ୍ ଫେରିଥିବାର ସୂଚନା ଦେଇଥିଲେ । ହେଲେ ବାସ୍ତବରେ ନିଆଁକୁ ଆୟତ୍ତ ନକରି ତେଲ ସରିଯିବା କାରଣରୁ ୬ ଜଣିଆ ଟିମ୍ ଜଙ୍ଗଲରୁ ଫେରିଥିଲେ ।
ତେବେ ସମ୍ପୃକ୍ତ ଫରେଷ୍ଟରଙ୍କୁ ଏନେଇ ପ୍ରଶ୍ନ କରିବାରେ ସେ କହିଥିଲେ ଯେ, ନିଆଁ କ’ଣ ତୁମକୁ ଦେଖାଯାଉଛି, ଯେଉଁଟା ନିଜେ ଦେଖିବ ସେହିଟା କହିବ । ଯିଏ ନିଆଁ ଲଗାଉଛି ତାକୁ ଧରୁନ, ଗାଁ ଲୋକ ନେଇ କୋର୍ଟ ଫରୁଆଡ କରିଦେବା । ପ୍ରତିନିଧି- ଆପଣଙ୍କ ସେଠାରେ ଗାର୍ଡ ନାହାନ୍ତି କି ଫରେଷ୍ଟର- କିଏ ରହିବ ଗାର୍ଡ , ଗାର୍ଡ କ’ଣ ଗୋଟେ ଜାଗା ଯେ ବସି ରହିବ ? ତାର ପା ୫୦ଟା ଗାଁ ଅଛି । ଗାଁ ଲୋକ କି କମିଟି ବାଲା ଗୋଟିଏ ସାଇଟରେ ବସନ୍ତୁ ଦେଖିବା, ଗାର୍ଡ ତ ତାହାର ବି ଗୋଟିଏ ଜୀବନ ଅଛି । ପ୍ରତିନିଧି- କମିଟିକୁ ଆପଣଙ୍କ ତରଫରୁ ଆକ୍ଟିଭ କରିବା କଥା, ଫରେଷ୍ଟର- କିନ୍ତୁ ଆକ୍ଟିଭ କରୁବୁ ଆମେ । ପ୍ରତିନିଧି- ନିଆଁ କିଏ ଲଗାଉଛି ଜାଣିବା ପାଇଁ କମିଟିକୁ ଆକ୍ଟିଭ କରନ୍ତୁ, ଆପଣ କମିଟ୍ କରିଛନ୍ତି ଆକ୍ଟିଭ କରିବା କଥା । ଫରେଷ୍ଟର- ଆମେ ତ ଦାୟିତ୍ଵ ଦେଇଛୁ ଗାଁ ଲୋକଙ୍କୁ ତମେ ଗାଁ ଭିତରେ ନା ବାହାରେ କୋଉଠୁ, ପ୍ରତିନିଧି- ମୁଁ ହରିଚନ୍ଦନପୁରରୁ । ଫରେଷ୍ଟର- ଆମେ ତ କହୁଛୁ ନିଆଁ ଲିଭାଯାଇଛି, ତ ଆପଣ ନିଆଁ ନଦେଖି ଯୁକ୍ତି ଲାଗୁଛନ୍ତି କ’ଣ ପାଇଁ । ଯଦି ପୁଣି ତାଙ୍କ ପିଛାରେ ଆଉଥରେ କିଏ ରାଗ ସୁଝାଇବାକୁ ଯାଇ ନିଆଁ ଲଗାଇଦେଇଥିବ । ତାହାଲେ କ’ଣ କରିପାରିବୁ ଆମେ । ପ୍ରତିନିଧି- ଆପଣଙ୍କ ସହ ରାଗ କିଏ ରଖିଛି କି ? ଫରେଷ୍ଟର- ସେହି ମେଦିନୀପୁର ଗଦାଧରପୁର ଲୋକମାନେ ସବୁ ଏଗନେଷ୍ଟରେ କଥା କହୁଛନ୍ତି । ଆମେ ଏଇନା ନିଆଁ ଲିଭାଇ ଆସିଲୁ ତାର ପଛେ ପଛେ ଯାଇ କିଏ ନିଆଁ ଲଗେଇ ଦେବ ତାହାଲେ କିଛି କରିହେବ । ଡିଆସିଲି ଅଣ୍ଟିରେ ଧରିକି ଯିବ ଝାଡ଼ା ଯାଉଛି କହି ନିଆଁଟା ଲଗେଇ ଦେବ କ’ଣଟା କରାଯିବ ସେଇଠୁ । ସେଇଠି ଗାଁ ଲୋକଙ୍କର ଦାୟିତ୍ଵ ରହିବା ଦରକାର, କିଏ ଜଙ୍ଗଲରେ ପଶୁଛି । ଲୋକମାନଙ୍କ ଚେହେରା ଦେଖିଲେ ଦୟା ଲାଗିବ ପିଲାଗୁଡିକ ନିଆଁ ଲିଭାଇ ଖରାରେ ଆସିଛନ୍ତି । ଏଠି କ’ଣ ନିଆଁ ଲାଗୁଛି ନିଜେ, ବିନା ନିଆଁ ଲଗାରେ ବି ଜଙ୍ଗଲ ଭିତରେ ଯାହାକୁ ପାଇବୁ ଆଣି ଢୁକାଇ ଦେବୁ । ପକେଟରେ ଗୋଟିଏ ଡିଆସିଲ ଧରିଥିବୁ ତାଙ୍କ ପକେଟରେ ପୁରାଇ କେଶ୍ କରିଦେବୁ ।
ଏପରି ସ୍ଥିତିରେ ବନ ବିଭାଗ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ଜଙ୍ଗଲ ନିକଟସ୍ଥ ଗ୍ରାମର ଲୋକମାନଙ୍କ ସହ ସୁସମ୍ପର୍କ ନରଖିଲେ ଜଙ୍ଗଲ ବଞ୍ଚାଇବା ବହୁତ କଷ୍ଟ । ବୁଦ୍ଧିଜୀବିଙ୍କ ମତ ଅନୁସାରେ, ପ୍ରଥମେ ବନ କର୍ମଚାରୀ ଓ ଅଧିକାରୀ ଗ୍ରାମବାସୀଙ୍କ ସହ ସୁସମ୍ପର୍କ ସ୍ଥାପନ କରନ୍ତୁ, ତେବେ ଆପେ ଆପେ ଜଙ୍ଗଲ ନଷ୍ଟ ବା କ୍ଷୟରୁ ରକ୍ଷା ପାଇପାରିବ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହୋଇଛି ।