ପୁରୀ– ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଛି । ଔଷଧ ଦୋକାନ ୨୪ ଘଂଟା ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି । ଏହା ବ୍ୟତୀତ ବଜାରରେ ଅନ୍ୟାନ୍ୟ ଦୋକାନ ବନ୍ଦ ରହୁଛି । ଏପରିକି ଚା, ପାନ ଦୋକାନରେ ତାଲା ଝୁଲୁଛି । କେତେକ ଅମାନିଆ ପାନ ଦୋକାନୀ ଦୋକାନ ଫାଟକ ଅଧା ବନ୍ଦ କରି ଲୁଚାଚୋରାରେ କାରବାର ଜାରୀ ରଖିଛନ୍ତି । ହେଲେ ଗାଁରେ ସେସବୁ ସୁବିଧା ସହଜରେ ଉପଲବ୍ଧ ହେଉଛି । ପୁରୀ ଜିଲ୍ଲାର ପୁରୀ ଟାଉନ୍, ଚନ୍ଦନପୁର ବଜାର, ସାକ୍ଷିଗୋପାଳ ବଜାର, ସାତଶଙ୍ଖ ବଜାର, ଡ଼େଲାଙ୍ଗ, କଣାସ, ମଙ୍ଗଳପୁର, ପିପିଲି, ବଳଙ୍ଗା ବଜାର, ନିମାପଡ଼ା ବଜାର, କାକଟପୁର ବଜାରରେ ପ୍ରଶାସନିକ ନିର୍ଦ୍ଦେଶ ଅନୁଯାୟୀ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ଯାଏଁ ପନିପରିବା, ଗ୍ରୋସରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଛି । ଔଷଧ ଦୋକାନ ୨୪ ଘଂଟା ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି । ବଜାରରେ ଚା ପାନ ଦୋକାନ, ମଦ କାଉଂଟର, ଗଞ୍ଜେଇ ପଟ୍ଟାରେ ତାଲା ଝୁଲୁଥିବାରୁ ନିଶାସକ୍ତ ମାନେ ଏବେ ବଜାର ତଳି ଅଂଚଳ ଓ ଗାଁ ଗୁଡିକୁ ନିଜର ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଭୟରେ ଅଧିକାଂଶ ଗ୍ରାମ ରାସ୍ତାକୁ ସେହି ଗ୍ରାମର ଯୁବକ ମାନେ କାଠ ଗଡ଼ ଓ ପଥର ପକାଇ ବନ୍ଦ କରି ରଖିଛନ୍ତି । ଯେମିତି ବାହାର ଲୋକ କେହି ତାଙ୍କ ଗ୍ରାମ ମଧ୍ୟକୁ ଆସିନପାରିବେ । ହେଲେ କେତେକ ଲୋକ ଏଇ ମଉକାରେ ଘର ବାରଣ୍ଡାରେ ଚା’ ପାନ ଦୋକାନ ଖୋଲିଲେଣି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏସବୁ ସ୍ଥାନରେ ବିଦେଶି ମଦ ମିଳୁନଥିଲେ ସୁଦ୍ଧା ଆସ୍କା ଫର୍ଟି ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ଅଭିଯୋଗ ହେଉଛି । ଫଳରେ ଏଭଳି ଏକ ଅସମୟରେ ବିଦେଶି ବଦଳରେ ଆସ୍କା ଫର୍ଟି, ଗଞ୍ଜେଇ, ବଟା ଭାଙ୍ଗ, କୋରେକ୍ସ ଓ ଖଜୁରୀ ତାଡ଼ିରେ କାମ ଚଳାଉଛନ୍ତି ନିଶାସକ୍ତ ମାନେ । ଏସବୁ ନିଶା ଦ୍ରବ୍ୟ ଏବେ ଗାଁ ଗହଳିରେ ଅତ୍ୟନ୍ତ ସହଜରେ ଏବଂ ସୁବିଧାରେ ଉପଲବ୍ଧ ହେଉଛି । ଲକ୍ ଡାଉନ୍ ଯୋଗୁଁ ସମସ୍ତ କାମଧନ୍ଦା ବନ୍ଦ ଥିବାରୁ ଦିନ ରାତି ଏସବୁ ସ୍ଥାନରେ ନିଶାସକ୍ତଙ୍କ ଆଡ୍ଡା ଜମୁଛି । କେତେକ ସ୍ଥାନରେ ନିଶାଖୋରଙ୍କ ତାଣ୍ଡବରେ ଲୋକେ ଅତିଷ୍ଠ ହୋଇପଡିଲେଣି, ହେଲେ ମୁହଁ ଖୋଲିବାକୁ ମନରେ ସାହାସ ଜୁଟାଇ ପାରୁନଥିବା କହିଛନ୍ତି । ମୁହଁ ଖୋଲିଲେ ଗାଳିଗୁଲଜ ସାଙ୍ଗକୁ ମାଡ଼ର ଭୟ ରହିଛି । ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଡ଼େଲାଙ୍ଗ, କଣାସ ଅଂଚଳର ଗ୍ରାମାଚଂଳ ଗୁଡିକର ସ୍ଥିତି ବର୍ତମାନ ଏଭଳି ରହିଛି । ଏସବୁ ଅଂଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଇଛି ।
ସେହିପରି ଗାଁରେ ତାସ୍, ଲୁଡ଼ୁ, କ୍ୟାରମ୍ ଖେଳ ବେଶ୍ ଜମୁଥିବା ଦେଖିବାକୁ ମିଳିଛି । ଗାଁର ଯୁବକ ମାନେ ଏକାଠି ହୋଇ ସ୍ଥାନେ ସ୍ଥାନେ ପିଣ୍ଡି, ଦାଣ୍ଡ ବାରଣ୍ଡା, ଘରର ଛାତ ଉପରେ ଖଟି ଜମାଉଛନ୍ତି । ଏସବୁ ସ୍ଥାନରେ ନା ମାସ୍କ ନା ସାମାଜିକ ଦୂରତ୍ୱ ପ୍ରଶାସନର ସମସ୍ତ କଟକଣା ଯେମିତି ଫେଲ୍ ମାରିଛି । ରାତି ଅଧଯାଏଁ ଗଞ୍ଜେଇ ଆଡ୍ଡା ଜମୁଛି । ଚା’ ଦୋକାନରେ ଭିଡ଼ ଜମୁଛି । ଯାହାକି ଗାଁ ପରିବେଶକୁ ଏକ ପ୍ରକାର ଅଧିକ ବିଷାକ୍ତ କରିବା ସହ କରୋନା ଭୂତାଣୁ ସଂକ୍ରମଣର ଭୟ ଦେଖାଦେଇଛି । ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।