ଜଗତସିଂହପୁର – ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଏକ ବଡ ତଥ୍ୟ ପୁଣି ଥରେ ସାମ୍ନାକୁ ଆସିଛି । କଟକରେ ହିଁ ନିହାରିକାଙ୍କୁ ହତ୍ୟା କରାଯାଇଥିବାର ପ୍ରମାଣ ପୋଲିସର ହସ୍ତଗତ ହୋଇଛି । କଟକରୁ ମୃତଦେହ ସ୍ଥାନାନ୍ତର ବେଳର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି । ଏଥିରେ ଦୁର୍ବୃତ ମୃତଦେହକୁ ଏକ ଅଖାରେ ଭର୍ତି କରି ବାଇକ୍ ପଛରେ ଲଦି ନେବାର ଦୃଶ୍ୟ କଏଦ୍ ରହିଛି । ନିହାରୀକା ମୃତ୍ୟୁ ନେଇ ପୋଲିସ ମୁଖ୍ୟାଳୟରୁ ଏହି ଚାଂଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି । ତେବେ ଏହି ବାଇକ୍ ଚଳାଉଥିବା ବ୍ୟକ୍ତି ଅଭିଯୁକ୍ତ ପ୍ରେମିକ କିଶୋର ଆଂଚଲ ଓରଫ ରାଜା କି ନୁହେଁ ତାହା ପୋଲିସ ସ୍ପଷ୍ଟ କରିନାହିଁ । ଆଜି ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏନେଇ ଅଧିକ ତଥ୍ୟ ରଖିପାରନ୍ତି ।
୨୪ ବର୍ଷିୟା ନିହାରିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମରେ । ସେ କଟକର ଏକ ଘରୋଇ ନର୍ସିିଂହୋମ୍ ରେ ନର୍ସ ଭାବେ କାର୍ଯ୍ୟରତ ଥିଲେ । ସେ ଗତ ୮ ତାରିଖ ଠାରୁ ନିଖୋଜ ଥିଲେ । ଗତ ୧୭ ତାରିଖ ଦିନ ବିଲୁଆଖାଇ ନଦୀ ପଠାରୁ ଏକ ଅଖାରେ ହାତଗୋଡ ବନ୍ଧା ଅବସ୍ଥାରେ ତାଙ୍କ ମୃତଦେହକୁ ବିରିଡ଼ି ପୋଲିସ ଉଦ୍ଧାର କରିଥିଲା । ଡିଏନଏ ଟେଷ୍ଟ ନିମନ୍ତେ ଗତକାଲି କଟକ ବଡ଼ ମେଡିକାଲରେ ନିହାରିକାଙ୍କ ବାପା ମାଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ଅନ୍ୟପକ୍ଷରେ ଗତକାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରେମିକ ରାଜା ବିରିଡ଼ି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ ପରେ ଅଭିଯୁକ୍ତକୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ପୋଲିସ ପଚରା ଉଚୁରା ଚଳାଇଛି । ହତ୍ୟାକାଣ୍ଡରେ କେବଳ ସେ ଏକାକୀ କିମ୍ବା ଏଥିରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି ବିରିଡ଼ି ପୋଲିସ ସେ ନେଇ ଛାନଭିନ୍ ଜାରୀ ରଖିଥିବା ବେଳେ ଆଜି ଏହି ବଡ଼ ତଥ୍ୟ ସାମ୍ନାକୁ ଆସିଛି ।
ଅପରପକ୍ଷେ ମୃତ ନିହାରିକାଙ୍କ ବାପା ମାଆ କହିଛନ୍ତି ଯେ, ରାଜା ହିଁ ତାଙ୍କ ଝିଅକୁ ହତ୍ୟା କରିଛି । ଝିଅ ସହିତ ଗତ ଦୁଇ ବର୍ଷ ହେଲା ତାର ପ୍ରେମ ସମ୍ପର୍କ ରହିଥିଲା । ଏପରିକି ଉଭୟଙ୍କର ବିବାହ ମଧ୍ୟ ସ୍ଥିର ହୋଇଥିଲା । ସେ ତାଙ୍କ ଝିଅକୁ ମାରିଛି । ମାମଲାର ନିରପେକ୍ଷ ତଦନ୍ତ ସହ ହତ୍ୟାକାରୀକୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।