ଭୁବନେଶ୍ୱର, ୦୬ ଏପ୍ରିଲ – ମହାମାରୀ କରୋନାର ମୁକାବିଲା ପାଇଁ ଜାରୀରହିଥିବା ଲକ୍ଡ଼ାଉନ୍ ଫଳରେ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟର ଲକ୍ଷ ଲକ୍ଷ ଅଟୋ ଓ ଟ୍ୟାକ୍ସିଚାଳକ ସେମାନଙ୍କ ରୋଜଗାର ହରାଇ ଘରେ ବସିଛନ୍ତି । ସେମାନଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହିସାବକଲେ ସେମାନଙ୍କ ସଂଖ୍ୟା ୨୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ । ରୋଜଗାର ନଥିବାରୁ ଏହି ୨୦ଲକ୍ଷ ଲୋକ ଗତ ମାର୍ଚ୍ଚ ୨୩ ତାରିଖଠାରୁ ଅନାହାର ଓ ଅର୍ଦ୍ଧାହାରରେ ଦିନ କାଟୁଛନ୍ତି ।
ସରକାର ଉଠାଦୋକାନୀ, ନିର୍ମାଣ ଶ୍ରମିକ ଓ ଅନ୍ୟ ବିପିଏଲ୍ ତାଲିକାଭୁକ୍ତ ପରିବାରଙ୍କ ପାଇଁ ଆର୍ଥିକ ସାହାଯ୍ୟ ଓ ତିନିମାସର ରାସନ ଦେବାପାଇଁ ଘୋଷଣା କରିଛନ୍ତି । ମାତ୍ର ଅଟୋ ଓ ଟ୍ୟାକ୍ସିଚାଳକ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ କୌଣସି ଘୋଷଣା କରିନାହାନ୍ତି ।
ଏଣୁ ସରକାର ରାଜ୍ୟର ସମସ୍ତ ଅଟୋ ଓ ଟାକ୍ସିଚାଳକମାନଙ୍କୁ ରାସନସାମଗ୍ରୀ ଓ ଆର୍ଥିକ ସାହାଯ୍ୟ ୫ ହଜାରଟଙ୍କା ଲେଖାଏ ଯୋଗାଇଦେବା ପାଇଁ ରାଜଧାନୀ ଅଟୋଚାଳକ ସଂଘର ସଭାପତି ସୁର ଜେନା ଓ ନିଖିଳ ଓଡ଼ିଶା ଅଟୋ ଓ ଟ୍ୟାକ୍ସିଚାଳକ ମହାସଂଘର ସମ୍ପାଦକ ନବକିଶୋର ମହାନ୍ତି ଦାବି ଜଣାଇଛନ୍ତି ।