ଭୁବନେଶ୍ୱର – ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ଥିବା ଶିଶୁଯତ୍ନ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ଶିଶୁ ସୁରକ୍ଷା ଯୋଜନା ଅଧୀନରେ ଅନୁଦାନପ୍ରାପ୍ତ ୧୨୮ ଗୋଟି ଅନୁଷ୍ଠାନକୁ ୬ କୋଟି ୫୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ସେହିପରି ଲକ୍ ଡାଉନ୍ ସମୟରେ ଅଣଅନୁଦାନପ୍ରାପ୍ତ ଶିଶୁଯତ୍ନ ଅନୁଷ୍ଠାନର ସୁପରିଚାଳନା ତଥା ଆବଶ୍ୟକୀୟ ଦ୍ରବ୍ୟ କ୍ରୟ ନିମନ୍ତେ ରାଜ୍ୟ ସରକାର ୧୦୧ ଗୋଟି ଅନୁଷ୍ଠାନକୁ ୩୯ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ୨୫ରୁ କମ୍ ଅନ୍ତେବାସୀ ଥିବା ଅନୁଷ୍ଠାନଗୁଡ଼ିକୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୫ରୁ ଅଧିକ ଅନ୍ତେବାସୀ ଥିବା ଅନୁଷ୍ଠାନଗୁଡ଼ିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।ଏଠାରେ ସୂଚନାଯୋଗ୍ୟ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଜାରି ରହିଥିବାବେଳେ ରାଜ୍ୟରେ ୨୪୪ଗୋଟି ଶିଶୁଯତ୍ନ ଅନୁଷ୍ଠାନରେ ୯୨୦୦ ଜଣ ଶିଶୁ ଶୃଙ୍ଖଳିତ ଜୀବନଯାପନ କରୁଛନ୍ତି । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ୧୯୬ ଗୋଟି ଶିଶୁ ଗୃହ, ୨୮ଟି ସ୍ୱତନ୍ତ୍ର ପୋଷ୍ୟଗ୍ରହଣ କେନ୍ଦ୍ର, ୧୨ଟି ମୁକ୍ତ ଆଶ୍ରୟ ସ୍ଥଳରେ ରଖାଯାଇଥିବାବେଳେ ଆଇନ ସହ ଦ୍ୱନ୍ଦଗ୍ରସ୍ତ ଶିଶୁମାନଙ୍କୁ ରାଜ୍ୟରେ ଥିବା ୪ଟି ପର୍ଯ୍ୟବେକ୍ଷଣ ଗୃହରେ ରଖାଯାଇଛି ।