-
ଆକ୍ରାନ୍ତଙ୍କ ମଧ୍ୟରୁ ୭୬ % ପୁରୁଷ , ୨୪% ମହିଳା
ନୂଆଦିଲ୍ଲୀ– ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ଆକ୍ରାନ୍ତ ହେଉଛନ୍ତି ପୁରୁଷ ଏବଂ ୨୪% ମହିଳା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ୪୭% ଆକ୍ରାନ୍ତ ୪୦ ବର୍ଷରୁ କମ୍ ବୟସର । ୩୪% କରୋନା ଆକ୍ରାନ୍ତ ୪୦ ବା ୪୦ରୁ ୬୦ ବର୍ଷ ବୟସ ବର୍ଗର । ଅନ୍ୟପକ୍ଷରେ ୧୯% କରୋନା ଆକ୍ରାନ୍ତ ୬୦ବର୍ଷ ବା ୬୦ ବର୍ଷରୁ ଅଧିକ ବୟସ ବର୍ଗର ।
ସେହିପରି ଦେଶରେ ୧୦୯ ମୃତ୍ୟୁ ସଂଖ୍ୟାକୁ ବିଚାରକୁ ନେଲେ କରୋନା ମୃତ୍ୟୁ ହାର ପୁରୁଷଙ୍କ କ୍ଷେତ୍ରରେ ୭୩% ରହିଛି । ଅନ୍ୟପକ୍ଷରେ ମହିଳାଙ୍କ ପାଇଁ ଏହା ୨୭% ରହିଛି । ୬୦ ବର୍ଷ ବା ଏହାଠାରୁ ଅଧିକ ବୟସ ବର୍ଗ ପାଇଁ ମୃତ୍ୟୁ ହାର ୬୩% ରହିଛି । ୪୦ରୁ ୬୦ ବୟସ ବର୍ଗରେ ମୃତ୍ୟୁ ହାର ୩୦% ରହିଛି । ସେହିଭଳି ୪୦ ବର୍ଷରୁ କମ୍ ବୟସ ବର୍ଗ ପାଇଁ ମୃତ୍ୟୁ ହାର ୭% ରହିଛି ।
ବର୍ତମାନସୁଦ୍ଧା ୮୬ % ମୃତକଙ୍କର ମଧୁମେହ, ଜଟିଳ କିଡନୀ ରୋଗ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସଂକ୍ରାନ୍ତ ସମସ୍ୟା ରହିଛି । ଯଦିଓ ୧୯% ସଂକ୍ରମିତ ବୟସ୍କ, ତଥାପି ବୟସ୍କଙ୍କ କ୍ଷେତ୍ରରେ ମୃତ୍ୟୁହାର ୬୩% ଥିବା ଜଣାଯାଇଛି । ତେଣୁ ବୟସ୍କ ଲୋକଙ୍କ ପ୍ରତି ଅଧିକ ବିପଦ ରହିଛି । ଯଦିଓ ୬୦ ବର୍ଷରୁ କମ ବୟସର ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁହାର ୩୭% ରହିଛି ତଥାପି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁହାର ୮୬% ପ୍ରତିଶତ ଥିବା ରେକର୍ଡ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୪ ଘଂଟାରେ ୬୯୩ କୋଭିଡ୍-୧୯ ଆକ୍ରାନ୍ତଙ୍କୁ ଠାବ କରାଯାଇଛି । ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୬୭ ପହଂଚିଛି ।୧୦୯ ଜଣ ପ୍ରାଣ ହରାଇଛନ୍ତି । ୨୯୧ ଜଣ ସୁସ୍ଥ ହେବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି ।
କୋଭିଡ-୧୯ ମହମାରୀ ସଂକ୍ରମଣକୁ ରୋକିବା ଲାଗି ସଙ୍ଗରୋଧ ସୁବିଧା ପ୍ରତିଷ୍ଠା କରିବା ଲାଗି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି । ସଙ୍ଗରୋଧରେ ଥିବା ଅନ୍ୟ ଲୋକମାନଙ୍କ ମଧ୍ୟରୁ ସନ୍ଦିଗ୍ଧ ଏବଂ ଅଧିକ ବିପଦ ଥିବା କଂଟାକ୍ଟଙ୍କୁ ପୃଥକ କରିବା ଲାଗି ଏହି ଗାଇଡଲାଇନରେ ଗୁରୁତ୍ୱାରୋପ କରାଯାଇଛି ।
ସେହିପରି କୋଭିଡ-୧୯ ରୋଗୀଙ୍କ ଚିକିତ୍ସା/ନିଦାନ/ସଙ୍ଗରୋଧରୁ ସୃଷ୍ଟି ହେଉଥିବା ଆବର୍ଜନା ପରିଚାଳନା, ପ୍ରକ୍ରିୟାକରଣ ଏବଂ ନଷ୍ଟ କରିବା ଲାଗି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି । ଏହାଛଡ଼ା, କୋଭିଡ-୧୯ ମହାମାରୀ ବ୍ୟାପିବା ସମୟରେ ଚାପ ଓ ଭୟ ଦୂର କରିବା ଲାଗି କେତେକ ସୂଚନାଧର୍ମୀ ଭିଡିଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟରେ ପୋଷ୍ଟ କରାଯାଇଛି ।
କୋଭିଡ-୧୯ ମୁକାବିଲା ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ଯଥା ସଙ୍ଗରୋଧ କେନ୍ଦ୍ର, ସମର୍ପିତ କୋଭିଡ-୧୯ ହସ୍ପିଟାଲ ଏବଂ ଅନ୍ୟ ଡାକ୍ତରୀ ସରଞ୍ଜାମ, ରୋଗୀଙ୍କ ଚିକିତ୍ସା ଆଦି ଲାଗି ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ) ପାଣ୍ଠି ଉପଯୋଗ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ, ଏନଏଚଏମ ପକ୍ଷରୁ ପୂର୍ବରୁ ସମସ୍ତ ରାଜ୍ୟଗୁଡ଼ିକୁ ୧୧୦୦ କୋଟି ଟଙ୍କା ଜାରି କରାଯାଇଥିବା ବେଳେ ଆଜି ଅତିରିକ୍ତ ୩୦୦୦ କୋଟି ଟଙ୍କା ଜାରି କରାଯାଇଛି । ସେହିପରି, ଏନ-୯୫ ମାସ୍କ, ଭେଂଟିଲେଟର ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଆଦି କେନ୍ଦ୍ର ଭାଗରୁ ସଂଗ୍ରହ କରାଯାଇ ସାରା ଦେଶର ସମସ୍ତ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଇଛି ।