ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ସୋମବାର ସନ୍ଧ୍ୟା ସୁଦ୍ଧା ୨୪୦ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନାକୁ ବ୍ରହ୍ମପୁର ଏମ୍କେସିଜି ପକ୍ଷରୁ ସଂଗ୍ରହ କରାଯାଇ ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ପଠାଯାଇଛି । ସେଥିମଧ୍ୟରୁ ୧୦୫ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲାକୁ ଦେଶବାହାରୁ ୭୩୦ଜଣ ଫେରିଥିବା ବେଳେ ୨୫ହଜାରରୁ ଊର୍ଦ୍ଧ୍ୱ ରାଜ୍ୟବାହାରୁ ଫେରିଛନ୍ତି । ବର୍ତ୍ତମାନ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବା କ୍ୱରାଣ୍ଟାଇନ୍ରେ ୩୬୬ଜଣ ରହିଛନ୍ତି । ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନଜର ରଖିଛି । ସେମାନଙ୍କୁ ଆଉ ୧୪ଦିନ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଜଣାପଡିଛି । ବର୍ତ୍ତମାନ ଜନସାଧାରଣ ସଚେତନତା ହେଲେ ଯଦି କୌଣସି ଗ୍ରାମକୁ ବିଦେଶ କିମ୍ବା ରାଜ୍ୟବାହାରୁ କିମ୍ବା ଗାଁ ବାହାରୁ କୌଣସି ଲୋକ ଆସୁଛନ୍ତି ତେବେ ସମ୍ପୃକ୍ତ ଅଞ୍ଚଳବାସିନ୍ଦା ସଙ୍ଗେ ସଙ୍ଗେ ପ୍ରଶାସନକୁ ଅବଗତ କରାଉଛନ୍ତି । ଏହା ଏକ ଜିଲ୍ଳାପାଇଁ ଭଲ ସଙ୍କେତ । ବର୍ତ୍ତମାନ ଭୁବନେଶ୍ୱରରୁ ଜିଲ୍ଲାକୁ ଫେରିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପର ଆରମ୍ଭ ହୋଇଛି ।
ମୁହଁରେ ମାସ୍କ ନଭିଡି ୭ଜଣ ଦେଲେ ଜୋରିମାନା
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସୋମବାର ମୁହଁରେ ମାସ୍କ ନଭିଡି ୭ଜଣ ୧ହଜାର ଟଙ୍କା ଲେଖାଏଁ ଜୋରିମାନା ଦେଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି । କରୋନା ଭୁତାଣୁ ଠାରୁ ଦୂରରେ ରହିବା ଓ ସଂକ୍ରମଣକୁ ରୋକିବା ଦିଗରେ ସମସ୍ତଙ୍କୁ ସଚେତନତା ହେବା ସହ ଅନ୍ୟକୁ ସଚେତନତା କରିବା ଉଦ୍ଦେଶ୍ୟରେ ଜିଲ୍ଳାପାଳ ଜିଲ୍ଲାବାସୀଙ୍କୁ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରିବା, କିରାଣୀ ଓ ମେଡିସିନ କିଣିବା ପାଇଁ ପାଦରେ ଚାଲି ବଜାରକୁ ଆସିବା ପାଇଁ ଅନୁମତି ଦେଇଥିବା ବେଳେ ମୁହଁରେ କପଡା ବା ମାସ୍କ ପିନ୍ଧି ବଜାରକୁ ଆସନ୍ତୁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାସହ ମୋଟର ସାଇକେଲ୍ ଯାନ ଚଳାଚଳ ଉପରେ ରୋକ୍ ଲଗାଇବା ପାଇଁ ମଧ୍ୟ ବାରଣ କରିଥିଲେ । ଏହି ନିୟମ ଯିଏ ପାଳନ ନକରିବ ସୋମବାର ଠାରୁ ସହରାଞ୍ଚଳରେ ୧ହଜାର ଟଙ୍କା ଓ ଗ୍ରାମାଞ୍ଚଳରେ ୫୦୦ଟଙ୍କା ମାସ୍କ ନପିନ୍ଧିଲେ ଜୋରିମାନା ଦେବାସହ ଗାଡି ଚଳାଚଳ କରୁଥିବା ବ୍ୟକ୍ତି ବିଶେଷଙ୍କ ଗାଡି ଜବତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ମର୍ମରେ ସୋମବାର ଦିନ ବିଏମ୍ସି ଅଞ୍ଚଳରେ ୭ଜଣଙ୍କ ଠାରୁ ୧ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି ।