-
ଗ୍ରାମର ଘରେ ଘରେ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ସିଞ୍ଚନ
ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡ କୁକୁଡାଖଣ୍ଡି ବ୍ଲକ୍ ବାଘଲଟି ପଞ୍ଚାୟତର ମାଟିଆ ସାହି ଗ୍ରାମ ଏବେ ହଟସ୍ପଟ୍ରେ । ଭୁବନେଶ୍ୱରର ଏକାଧିକ କରୋନା ପଜେଟିଭ ଚିହ୍ନଟ ହେବାପରେ ଏହି ଗ୍ରାମର କିଛି ଲୋକେ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ରହି କାର୍ଯ୍ୟକରି ଆସୁଥିଲେ । ମାଟିଆ ସାହି ଗ୍ରାମର ପ୍ରାୟ ୧୩୦ଜଣ ଗାଁକୁ ଫେରିବା ଖବର ମିଳିବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ ସାମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିଦେଇ ମାଟିଆ ସାହି ଗ୍ରାମକୁ କୋଭିଡ-୧୯ ହଟସ୍ପଟ୍ ଭାବେ ଘୋଷଣା କରିଥିଲେ । ସଂକ୍ରମିତ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ ଆସିଥିବାରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫ ଏବଂ ମହାମାରୀ ରୋଗ ଆଇନ୍ ୧୮୯୭ ବଳରେ ଏହି ପଦକ୍ଷେପ ରବିବାର ଦିନ ନେଇ ପରବର୍ତ୍ତୀ
ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଗ୍ରାମକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଥିଲେ । ଗ୍ରାମକୁ ସ୍ୱାସ୍ଥ୍ୟ ଟିମ୍ ପଠାଇ ସମସ୍ତ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ସୂଚନାଥାଉକି, କୁକୁଡାଖଣ୍ଡି ବ୍ଲକ୍ ବାଘଲଟି ପଞ୍ଚାୟତର ମଦନମୋହନପୁର ନିକଟ ମାଟିଆସାହି ଗ୍ରାମ । ଏହି ଗ୍ରାମରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ଅଧିକାଂଶ ଶ୍ରମିକ ଶ୍ରେଣୀର । ରାଜ୍ୟରେ ଲକ୍ ଡାଉନ୍ ଘୋଷଣା ଓ ଭୁବନେଶ୍ୱରରେ କରୋନା ପଜେଟିଭ୍ ଚିହ୍ନଟପରେ ସେଠାରେ ରହୁଥିବା ୧୩୦ ଦାଦନ ଶ୍ରମିକ ଗତ ୨୭ତାରିଖରେ ଗ୍ରାମ ମାଟିଆ ସାହିକୁ ଫେରିଥିଲେ ।
ଭୁବନେଶ୍ୱରରୁ ସେମାନେ ଫେରିଥିବା ସୂଚନାପାଇ ୨୮ତାରିଖ ସନ୍ଧ୍ୟାରେ ବାଘଲଟି ସରପଞ୍ଚ ସାରଥୀ ଗୌଡ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ସେପଟେ ଆବୁଧାବିରୁ ଫେରିଥିବା ଜଣେ ଯୁବକଙ୍କ ସଂକ୍ରାନ୍ତରେ ମଧ୍ୟ ସୂଚନା ଦେଇଥିଲେ । ଫଳରେ ସଂକ୍ରମଣକୁ ପ୍ରତିହତ କରିବା ଲାଗି ବ୍ରହ୍ମପୁର ଉପଜିଲ୍ଲାପାଳ ରବିବାର ଦିନ ଗ୍ରାମକୁ ହଟସ୍ପଟ୍ ଭାବେ ଘୋଷଣାକରି ଗ୍ରାମର ପ୍ରବେଶ ପଥଗୁଡିକୁ ସିଲ୍କରି ଲକ୍ଡାଉନ୍ ପାଇଁ ନିର୍ଦ୍ଦେଶନାମ ଜାରି କରିଥିଲେ । ଗ୍ରାମର ପ୍ରବେଶ ଓ ପ୍ରସ୍ତାନକୁ ସିଲ୍କରି ଉକ୍ତ ସ୍ଥାନରେ ପୋଲିସ ମୁତୟନ କରିଥିଲେ । ଗାଁ ମୁଣ୍ଡରେ ପୋଲିସ ଚେକ୍ ପୋଷ୍ଟ ଖୋଲାଯାଇ କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ଅମ୍ବ୍ରିତ ମହାନ୍ତିଙ୍କୁ ଗ୍ରାମର ମାଜିଷ୍ଟ୍ରେଟ ଦାୟୀତ୍ୱ ଦେଇଥିଲେ । ଲକ୍ଡାଉନ୍ ଯେଭଳି କଡାକଡି ଭାବେ ପାଳନ ହେବ ସେ ଦିଗରେ ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ରଙ୍କୁ ଏହାର ତଦାରଖ ପାଇଁ ଦାୟୀତ୍ୱ ଦିଆଯାଇଥିଲା । ଆଗାମୀ ୧୪ଦିନ ପାଇଁ ସମସ୍ତଙ୍କୁ ହୋମ୍କ୍ୱରାଣ୍ଟାଇନ୍ରେ ରଖାଯାଇଛି ବୋଲି ତହସିଲଦାର ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି ।
ସୋମବାର ଦିନ ଗ୍ରାମରେ ସମସ୍ତ ଘରକୁ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ସିଞ୍ଚନ କରାଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ବିଶୁଦ୍ଧିକରଣ କରାଯାଇଛି । ସମସ୍ତ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିଛି । ଗ୍ରାମରେ ତହସିଲଦାର ଶ୍ରୀମତୀ ମିଶ୍ର ପହଞ୍ôଚ ବିଶୁଦ୍ଧିକରଣ କାର୍ଯ୍ୟର ତଦାରଖ କରୁଛନ୍ତି । ସମସ୍ତ ଅଞ୍ଚଳରେ ବ୍ଲିଚିଂ ପାଉଡର ସିଞ୍ଚାଯାଇଛି । ଗ୍ରାମର କୂପ ଓ ନଳକୂପରେ ବ୍ଲିଚିଂ ପାଉଡର ପକାଯାଇଥିବା ବେଳେ ଗ୍ରାମରେ ଥିବା ଏକମାତ୍ର ପୋଖରୀକୁ ବ୍ୟବହାର ପାଇଁ ଅନୁପଯୋଗୀ ଘୋଷଣା କରାଯାଇ ପୋଲିସ ମୁତୟନ କରାଯାଇଛି । ଉକ୍ତ ପୋଖରୀକୁ ମଧ୍ୟ ବ୍ଲଚିଂ ଦ୍ୱାରା ବିଶୋଧନ କରାଯାଇଛି । ଗ୍ରାମର ଜନସାଧାରଣ ପାଇଁ ଗ୍ରାମ ମୁହଁରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ବ୍ୟବସ୍ଥା କରାଯାଇଛି । ପରିବା, କିରାଣୀ, କ୍ଷୀର, ମେଡିସିନ, ଗୋଖାଦ୍ୟ ଯୋଗାଇବା ସହ ସମସ୍ତ ଗ୍ରାମବାସୀଙ୍କୁ ଉଚ୍ଚସ୍ତରୀୟ ବିଶୁଦ୍ଧିକରଣ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ଲିଚିଂ ସ୍ପିରିଟ୍ ପ୍ରଦାନ କରାଯାଇଛି । ଗ୍ରାମରେ ପୋଲିସ ମୁତୟନ ହେବାସହ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି ।