– ଆସନ୍ତା ୨୩ରେ ପ୍ରକାଶ ପାଇବ ବିଜ୍ଞପ୍ତି
– ଅକ୍ଟୋବର ୨୧ରେ ଭୋଟ୍ ଗ୍ରହଣ , ୨୪ ରେ ଗଣତି
ଭୁବନେଶ୍ୱର – ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଶନିବାର ତାରିଖ ଘୋଷଣା କରାଯାଇଛି । ବିଜେପୁର ଉପନିର୍ବାଚନ ପାଇଁ ସେପ୍ଟେମ୍ବର ମାସ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୩୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ଅକ୍ଟୋବର ୧ ରେ ପ୍ରାର୍ଥୀପତ୍ର ଯାଂଚ କରାଯିବ । ୩ ତାରିଖ ସୁଦ୍ଧା ପ୍ରାର୍ଥୀ ମାନେ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଅକ୍ଟୋବର ୨୧ ତାରିଖରେ ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ଏବଂ ୨୩ ତାରିଖରେ ଭୋଟ୍ ଗଣତି ହେବ । ଅକ୍ଟୋବର ୨୭ ତାରିଖରେ ନିର୍ବାଚନର ସମସ୍ତ ପ୍ରକ୍ରି୍ରୟା ଶେଷ ହେବ ।
ନିର୍ବାଚନ କମିଶନଙ୍କ ଘୋଷଣା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ ଏହି ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯିବ । ଏହାସହ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ,ଗୁଡିକର ତାଲିକା ପ୍ରକାଶ କରାଯିବ ।
ଏହା ବ୍ୟତୀତ ହରିଆନା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଶନିବାର ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏହି ଘୋଷଣା କରି କହିଛନ୍ତି ଯେ ଅକ୍ଟୋବର ୨୧ ତାରିଖରେ ଏହି ଦୁଇ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ୨୪ ତାରିଖରେ ଭୋଟ୍ ଗଣତି ହେବ ।ଏହା ସହିତ ଏହି ଦୁଇ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ସହିତ ବରଗଡ଼ର ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରୁ ଜିତିବା ପରେ ସେ ବିଜେପୁର ଆସନ ଛାଡ଼ି ଦେଇଥିଲେ । ବିଜେଡି ଚଳିତ ଥର ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ଏଠାରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ।