ଇନ୍ଦୋର– ଇନ୍ଦୋରର ଟାଟପଟ୍ଟି ବାଖଲ ଇଲାକାରେ ଗତ ଦିନରେ ଡାକ୍ତରୀ ଦଳ ଉପରେ ପଥରମାଡ ଘଟଣାକୁ ସମଗ୍ର ଦେଶରେ ନିନ୍ଦା କରାଯାଇଛି । ସ୍ୱଚ୍ଛତାରେ କ୍ରମାଗତ ତିନି ଥର ଶୀର୍ଷ ସ୍ଥାନରେ ରହିଥିବା ଇନ୍ଦୋରର ନାମ ଏହି ଘଟଣାରେ ଖରାପ ହୋଇଛି । ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କ ସହିତ ବୈଠକରେ ଏହା କହିଛନ୍ତି ଯେ, ଉତର ପ୍ରଦେଶକୁ ଇନ୍ଦୋର ହେବାକୁ ଦିଆଯିବା ନାହିଁ ।
ମାତ୍ର ଏବେ ଏହି ଟାଟପଟ୍ଟି ଇଲାକାରୁ ଆସିିଛି ବହୁତ ବଡ ଖବର । ଯେଉଁ ଇଲାକାରେ କରୋନା ସଂକ୍ରମଣ ଯାଂଚ ପାଇଁ ଯାଇଥିବା ଡାକ୍ତରୀ ଦଳ ଉପରେ ଆକ୍ରମଣ ହୋଇଥିଲା ସେହି ଟାଟପଟ୍ଟି ବାଖଲରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯଦି ଏମାନଙ୍କୁ ଠିକ୍ ସମୟ ପୂର୍ବରୁ କ୍ୱାରେନଟାଇନ କରାଯାଇନଥାନ୍ତା ତେବେ ଏହି ଅଂଚଳ ସହିତ ସହରର ଶତାଧିକ ଲୋକ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥାନ୍ତେ ।
ଉଲ୍ଲେଖନୀୟ ଟାଟପଟ୍ଟି ବାଖଲରେ ୧୧ ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିିଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀ ଏହି ଇଲାକାର ୬୮ ଜଣଙ୍କୁ କ୍ୱାରେନଟାଇନ୍ କରିଥିଲେ, ମାତ୍ର ଏବେ ଯାଂଚ ପରେ ୧୨ ଜଣ କରୋନା ପଜିଟିଭ୍ ଥିବା ସାମ୍ନାକୁ ଆସିଛି ।
ଏହା ସହିତ ଇନ୍ଦୋରରେ କରୋନା ପଜିଟିଭ୍ ସଂଖ୍ୟା୧୨୮ରେ ପହଁଚିଛି । ଏହି ମହାମାରୀ ରୋଗରେ ୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଇନ୍ଦୋରରେ ସହରରେ ଅଦ୍ୟାବଧି ମୋଟ୍ ୭୦୦ରୁ ଅଧିକ ଲୋକଙ୍କୁ କ୍ୱାରେନଟାଇନ୍ କରାଯାଇଛି । ଶନିବାର ଉଷା ଗଞ୍ଜରେ ୨୨ରୁ ଅଧିକ ଲୋକଙ୍କୁ ଆଇସୋଲେଟେଡ୍ କରାଯାଇଛି । ଏଥିରେ ଅନେକ ଶିଶୁ ମଧ୍ୟ ସାମିଲ ।