ନ୍ୟୁୟର୍କ– ଜନ ହପକିନ୍ସ ୟୁନିଭର୍ସିଟି ଅନୁ୍ଯାୟୀ ସମଗ୍ର ଦୁନିଆରେ ଅଦ୍ୟାବଧି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷରୁ ଅଧିକ ରହିଛି । ଏହି ମହାମାରୀ ଭାଇରସରେ ପ୍ରାୟ ୬୫ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଛି । ଆମେରିକାରେ ଶନିବାର କୋଭିଡ୍ ୧୯ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷରର ଅଧିକ ରହିଛି । କରୋନା ଭାଇରସର ସବୁଠୁ ଅଧିକ ଦୟନୀୟ ସ୍ଥିତି ୟୁରୋପରେ ଦେଖିବାକୁ ମିଳିଛି । ପୂରା ୟୁରୋପରେ ମୃତକଙ୍କ ସଂଖ୍ୟା ୪୫ ହଜାରରୁ ଅଧିକ ରହିଛି ।
ବ୍ରିଟେନରେ ମଧ୍ୟ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଏହି ଦେଶରେ କରୋନା ଭାଇରସର ମୋଟ୍ ୪୨ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟି ୪୩୦୦ରେ ପହଁଚିଛି । ମହାରାଣୀ ଏଲିଜାବେଥ ଦ୍ୱିତୀୟ ରବିବାର ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଏହି ସମ୍ବୋଧନରେ କରୋନା ଭାଇରସର ମୁକାବିଲା ପାଇଁ ଲୋକଙ୍କୁ ଆହ୍ୱାନ କରାଯିବା ସହିତ ଏହି ମହାମାରୀ ବିରୋଧରେ ସବୁଠୁ ଆଗରେ ରହି ଲଢୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ବ୍ୟକ୍ତିଗତ ଧନ୍ୟବାଦ ଦିଆଯାଇପାରେ ।
ଇଟାଲୀରେ ନୂତନ ସଂକ୍ରମଣ ମାମଲାରେ ହ୍ରାସ ଦେଖିବାକୁ ମିଳିଛି । ପ୍ରଥମ ଥର ଶୁକ୍ରବାର ଚିହ୍ନଟ ହୋଇଥିବା ୪,୦୬୮ ତୂଳନାରେ ଶନିବାର ୩,୯୯୪ ମାମଲା ସାମ୍ନାକୁ ଆସିଛି । ଇଟାଲୀରେ ଶନିବାର ୬୮୧ ଜଣଙ୍କ ମୃତ୍ୟୁ ଘଟିଛି । ଯାହା ବିଗତ ଗୋଟିଏ ସପ୍ତାହର ସର୍ବନିମ୍ନ ରହିଛି । କାରଣ ଏହି ଦେଶରେ ସପ୍ତାହକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି ।
ପୂରା ଦେଶକୁ ଲକଡାଉନ ଘୋଷଣା କରିଥିବା ସ୍ପେନରେ କରୋନା ଭାଇରସ ସମ୍ବନ୍ଧିତ ୮୦୯ ନୂତନ ମାମଲା ଚିହ୍ନଟ ହୋଇଛି । ସ୍ପେନରେ ଅଦ୍ୟାବଧି ଏହି ମହାମାରୀ ରୋଗରେ ୧୧,୯୪୭ ଜଣଙ୍କ ମୃତ୍ୟୁ ଘଟିଛି ଯାହା ଇଟାଲୀ ପରେ ଦ୍ୱିତୀୟ ସ୍ଥାନରେ ରହିଛି । ସ୍ପେନରେ ମଧ୍ୟ ନୂତନ କରୋନା ରୋଗୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ମାତ୍ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଂଚେଜ ଦେଶର ଲକଡାଉନ ଅବଧିକୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ବଢାଇବାକୁ ଘୋଷଣା କରିଛନ୍ତି ।
ଆମେରିକାରେ କରୋନା ଭାଇରସରେ କେନ୍ଦ୍ର ପାଲଟିଥିବା ନ୍ୟୁୟର୍କରେ ଗୋଟିଏ ଦିନରେ ରେକର୍ଡ ୬୩୦ ଜଣଙ୍କ ମୃତ୍ୟୁ ଘଟିଛି । ଗଭର୍ଣ୍ଣର ଆଣ୍ଡ୍ର୍ୟୁ କ୍ୟୁମୋ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଏ ପର୍ଯ୍ୟନ୍ତ ଏଠାରେ ସ୍ଥିତି ଚରମରେ ପହଁଚି ନାହିଁ. ରାଜ୍ୟରେ ମୋଟ୍ ୩,୫୬୫ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେନାର ୧୦୦୦ ଡାକ୍ତର ଓ ନର୍ସଙ୍କୁ ନ୍ୟୁୟର୍କର ସହରରେ ନିୟୋଜିତ କରାଯିବ ।