-
ତବଲିଗି ଜମାତରୁ ଫେରିଥିବା ଲୋକଙ୍କ ପାଇଁ ବଢିଲା ସଂକ୍ରମିତଙ୍କ ସଂଖ୍ୟା
ଚେନ୍ନାଇ– ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରବିବାର ତାମିଲନାଡୁରେ କରୋନା ସଂକ୍ରମିତ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ଘଟିଛି । ରାଜ୍ୟରେ ଅଦ୍ୟାବଧି ଆକ୍ରାନ୍ତଙ୍କ ସଂଖ୍ୟା ୪୮୫ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ଆଠ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସ୍ୱାସ୍ଥ୍ୟ ସଚିବ ବୀଲା ରାଜେଶଙ୍କ ଅନୁସାରେ ରାଜ୍ୟରେ ପ୍ରାୟ ୧୨୦୦ ଜଣ ତବଲିଗି ଜମାତରୁ ଫେରିଥିଲେ । ସେମାନଙ୍କର ଯାଂଚ ପାଇଁ ନମୂନା ନିଆଯାଇଥିଲା । ଏଥିରେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି ।
ଋବିବାର ବିଭାଗ ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ରାମନାଥପୁରମରେ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କୁ ଏପ୍ରିଲ ୨ ସକାଳ ୯ଟା ୪୫ରେ ଚେନ୍ନାଇର ଷ୍ଟେନଲି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେହି ଦିନ ପୂର୍ବାହ୍ନ ୧୧ଟା ୪୫ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ରିପୋର୍ଟ ଆସିବା ପରେ ଜଣା ପଡିଲା ଯେ ବୃଦ୍ଧ କରୋନା ପଜିଟିଭ୍ ଥିଲେ ।
ରାଜ୍ୟରେ କରୋନା କାରଣରୁ ଚେନ୍ନାଇରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏପ୍ରିଲ ୧ରେ ଆକ୍ରାନ୍ତଙ୍କୁ ଷ୍ଟେନଲି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଶନିବାର ଓ ରବିବାର ରାତି ପ୍ରାୟ ୧ଟା ୪୫ ମିନିଟରେ ତାଙ୍କର ପ୍ରାଣହାନୀ ଘଟିଥିଲା ।