ଓ୍ଵାଶିଂଟନ/ଜିନେଭା– ବିଶ୍ୱ ବ୍ୟାଙ୍କର ସଭାପତି ଡେଭିଡ୍ ମଲପାସ ଶୁକ୍ରବାର କହିଛନ୍ତି ଦ୍ରୁତ ଗତିରେ ବ୍ୟାପୁଥିବା କୋଭିଡ ୧୯ ମହାମାରୀ କାରଣରୁ ବଡ ବୈଶିକ ମନ୍ଦି ଉତ୍ପନ ହେବାର ଆଶଙ୍କା ରହିଛି । ଯାହା ସମ୍ଭବତଃ ସବୁଠୁ ଗରିବ ଏବଂ ଦୁର୍ବଳ ଦେଶକୁ ଅଧିକ ପ୍ରଭାବିତ କରିବ ।
ଲିଙ୍କଡଇନ ନେଟଉର୍କିଙ୍ଗ ସାଇଟରେ ଏକ ପୋଷ୍ଟରେ ମଲପାସ୍ କହିଛନ୍ତି ଯେ, ବିଶ୍ୱ ବ୍ୟାଙ୍କ ଇଥିଓପିଆ, କେନିଆ ପରି ଦେଶଗୁଡିକର ନେତାଙ୍କ ସହ ଶୀଘ୍ର ଆଲୋଚନା କରିବାକୁ ଯୋଜନା କରୁଛନ୍ତି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜାର୍ଜିଭା ମଧ୍ୟ ଶୁକ୍ରବାର କହିଛନ୍ତି କରୋନା ଭାଇରସ୍ ମହାମାରୀ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଦେଇଛି । ଏହା ଦୁନିଆକୁ ମନ୍ଦି ମଧ୍ୟକୁ ଠେଲି ଦେଇଛି । ଯାହା ଏକ ଦଶନ୍ଧି ପୂର୍ବରୁ ବୈଶିକ ଆର୍ଥିକ ସଙ୍କଟ ତୂଳନାରେ ଅଧିକ ଖରାପ ସ୍ଥିତି ସୃଷ୍ଟି କରିବ । ଏହା ମାନବତା ପାଇଁ ସବୁଠୁ ଖରାପ ସମୟ।
ଆଇଏମଏଫର ପ୍ରବନ୍ଧ ନିର୍ଦ୍ଦେଶକ ଜାର୍ଜିଭା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ପ୍ରମୁଖଙ୍କ ସହିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଉଦୀୟମାନ ବଜାର ଏବଂ ବିକାଶୀଳ ଦେଶର ଅର୍ଥବ୍ୟବସ୍ଥା ଓ ସ୍ୱାସ୍ଥ୍ୟକୁ ମହାମାରୀର ପ୍ରଭାବରୁ ବଂଚାଇବାରେ ସାହାଯ୍ୟ କରିବା ପାଇଁ ପ୍ରୟାସକୁ ଆଗକୁ ବଢାଇବାକୁ ଉନ୍ନତ ଅର୍ଥବ୍ୟବସ୍ଥା ଦେଶକୁ ଆହ୍ୱାନ କରିଛନ୍ତି ।
ଭିଡିଓ କନଫରେନ୍ସିଂ କଲ୍ ଜରିଆରେ ସେ ପ୍ରାୟ ୪୦୦ ସାମ୍ବାଦିକଙ୍କୁ କହିଛନ୍ତି ଯେ, ସଂପ୍ରତି କରୋନା ପରି କୌଣସି ସଙ୍କଟ ନାହିଁ । ଏହା ବିଶ୍ୱ ଅର୍ଥବ୍ୟବସ୍ଥାକୁ ପଙ୍ଗୁ କରି ଦେଇଛି । ଏବେ ସମସ୍ତେ ଏବେ ମନ୍ଦି ଦେଇ ଗତି କରୁଛେ । ଏହା ୨୦୦୮-୦୯ ବୈଶିକ ଆର୍ଥିକ ସଙ୍କଟଠୁ ମଧ୍ୟ ବହୁତ ଖରାପ ।
ଜର୍ଜିଭା କହିଛନ୍ତି ଆଇଏମଏଫ ଏବେ ବିଶ୍ୱ ବ୍ୟାଙ୍କ ଓ ଡବ୍ଲ୍ୟୁଏଚଓ ସହିତ କମା କରୁଛି, ଯଦ୍ୱାରା ଚୀନ ଓ ଅନ୍ୟ ଋଣଦାତା ଦେଶ ନିଜର ଋଣ ଆଦାୟକୁ ଅତି କମରେ ଗୋଟିଏ ବର୍ଷ ଘୁଂଚାଇବେ । ଏହା ଦ୍ୱାରା ମହାମାରୀ ପ୍ରଭାବ ସମାପ୍ତ ହେବା ପର୍ଯ୍ୟନ୍ତ ସବୁଠୁ ଗରିବ ଦେଶଠୁ ଋଣ ଆଦାୟକୁ ସ୍ଥଗିତ ରଖାଯାଇ ପାରିବ ।
ସେ କହିଛନ୍ତି ଯେ, ଚୀନ ଏହି ପ୍ରସଙ୍ଗରେ ରଚନାତ୍ମକ ଭାବେ କାମ କରିଛି । ଆଇଏମଏଫ ଓ ବିଶ୍ୱ ବ୍ୟାଙ୍କ ଆଗାମି ସପ୍ତାହରେ ପେରିସ୍ କ୍ଲବର ଋଣଦାତା ଦେଶ ଏବଂ ୨୦ ପ୍ରମୁଖ ଅର୍ଥବ୍ୟବସ୍ଥା ସମୂହ ସହିତ ଏକ ବିଶେଷ ପ୍ରସ୍ତାବ ଉପରେ କାମ କରିବ ।