
କୁଲଗାମ– କୁଲଗାମ ଜିଲ୍ଲାର ମଗାନ କ୍ଷେତ୍ର ଅନ୍ତର୍ଗତ ଖୁର ବଟପୋରା ନିକଟରେ ସୁରକ୍ଷାବଳ ସହ ଗୁଳି ବିନିମୟରେ ଚାରି ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ସମୟରେ ସେନାର ଦୁଇ ଯବାନ ମଧ୍ୟ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ତୁରନ୍ତ ସୈନିକ ହସ୍ପିଟାଲରେ ଭର୍ତି କରାଯାଇଛି । ନିହତ ହୋଇଥିବା ଚାରି ଆତଙ୍କୀ ସ୍ଥାନୀୟ ଅଂଚଳର ହୋଇଥିବା କୁହାଯାଉଛି । ଆତଙ୍କବାଦୀଙ୍କ ଶବ ସହିତ ଗୋଳା-ବାରୁଦ ମଧ୍ୟ ଜବତ କରାଯାଇଛି । ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ତିନି ଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ପାମ୍ବାଇର ଶାହିଦ ଅହମ୍ମଦ, ଖୁଲର ନିବାସୀ ଆଦିଲ ଠୋକର ଓ ଚିମର ନିବାସୀ ଏଜାଜ ନାୟକୁ । ବାକି ଅନ୍ୟ ଜଣଙ୍କ ପରିଚୟ ମିଳି ନାହିଁ । ସୂଚନା ଅନୁସାରେ କୁଲଗାମ ଜିଲ୍ଲାର ମଙ୍ଗାମ ଇଲାକାରେ ସୁରକ୍ଷାବଳଙ୍କୁ ଆତଙ୍କବାଦୀ ଛପି ରହିଥିବା ସୂଚନା ମିଳିଥିଲା । ସୂଚନା ମିଳିବା ମାତ୍ରେ ସେନା, ଏସଓଜି ଓ ସିଆରପିଏଫର ମିଳିତ ଟିମ୍ ପୂରା ଇଲାକାକୁ ଘେରି ଯାଇ ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀ ସୁରକ୍ଷାବଳ ପାଖକୁ ଆସୁଥିବା ଦେଖି ଗୁଳିମାଡ ଆରମ୍ଭ କରି ଦେଇଥିଲେ । ଏହା ପରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇ ଯାଇଥିଲା । ଏହି ଗୁଳି ବିନିମୟରେ ସୁରକ୍ଷାବଳ ଛପି ରହିଥିବା ଚାରି ଆତଙ୍କବାଦୀକୁ ନିହତ କରିଛନ୍ତି । ଏହି ସମୟରେ ସେନାର ଦୁଇ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ତୁରନ୍ତ ସେନା ହସ୍ପିଟାଲରେ ଭର୍ତି କରାଯାଇଛି । ଚାରି ଆତଙ୍କବାଦୀ ମଧ୍ୟରୁ ତିନି ଜଣ କୁଲଗାମର ନିବାସୀ ହୋଇଥିବା ବେଳେ ଅନ୍ୟ ଆତଙ୍କବାଦୀର ପରିଚୟ ମିଳି ପାରି ନାହିଁ । ମରିଥିବା ଚାରି ଆତଙ୍କବାଦୀ ଗତ ସପ୍ତାହରେ କୁଲଗାମରେ ଜଣେ ନାଗରିକଙ୍କ ହତ୍ୟା ଘଟଣାରେ ସାମିଲ ଥିବା କୁହାଯାଉଛି । ଉଲ୍ଲେଖନୀୟ ଗତ ଶୁକ୍ରବାର ସୁରକ୍ଷାବଳ ଆତଙ୍କରୋଧୀ ଅଭିଯାନ ଆଧାରରେ ଚଢାଉ କରି ଲସ୍କର ଏ ତୋଇବାର ଚାରି ଆତଙ୍କବାଦୀକୁ ଗିରଫ କରିଥିଲା । ସେମାନଙ୍କଠୁ ବିପୁଳ ପରିମାଣରେ ଗୋଳା ବାରୁଦ ମଧ୍ୟ ଜବତ କରାଯାଇଥିଲା ।