
ମୁମ୍ବାଇ– ମହାରାଷ୍ଟ୍ର ନବନିର୍ମାଣ ସେନାର ସଭାପତି ରାଜ ଠାକରେ କହିଛନ୍ତି ଲକଡାଉନର ପାଳନ ନକରିବାର ପରିଣାମ ଦେଶର ଜନତାଙ୍କୁ ଭୋଗିବାକୁ ପଡିବ । ରାଜ ଠାକରେ ଲୋକଙ୍କୁ ଲକଡାଉନକୁ କଡାକଡି ପାଳନ କରିବାକୁ ଅପିଲ୍ କରିଛନ୍ତି । ରାଜ ଠାକରେ ପ୍ରଧାନମନ୍ତ୍ରୀଙ୍କ ଦୀପ ଜଳାଇବା ଅପିଲକୁ କଟାକ୍ଷ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ କରୋନାରୁ ବଂଚିବାର ଉପାୟ ଉପରେ ଆଲୋଚନା କରିବା ଉଚିତ୍ ଥିଲା ମାତ୍ର ଦେଶର ପ୍ରଧାନମନ୍ତ୍ରୀ ନିଜକୁ ନିଜେ ଶ୍ରଦ୍ଧା-ଅନ୍ଧଶ୍ରଦ୍ଧାରେ ସୀମିତ ରଖିଛନ୍ତି ।
ରାଜ ଠାକରେ କହିଛନ୍ତି ଯେ, ସଂପ୍ରତି ଲକଡାଉନ ଜାରି ରହିଛି । ଏହି ସ୍ଥିତିରେ ଏକ ବିଶିଷ୍ଠ ସମାଜର ଲୋକଙ୍କ ବେପରୁଆ ମନୋଭାବ ବୃଦ୍ଧି ଘଟିଛି । ଏହି ସମାଜର ଲୋକ ଏବେ ମଧ୍ୟ ପୋଲିସ୍ ଓ ଡାକ୍ତରଙ୍କ ସହିତ ଦୁର୍ବ୍ୟବହାର କରୁଛନ୍ତି । ଏହି ସବୁ ଉପରେ ସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ । ସେ କହିଛନ୍ତି ଲକଡାଉନ କାରଣରୁ କୋଟି କୋଟି ଲୋକ ଘରେ ବସିଛନ୍ତି ମାତ୍ର ବହୁତ ଲୋକ ଲକଡାଉନର ପାଳନ କରୁ ନାହାନ୍ତି । ଏଥିରେ ଯଦି ଲକଡାଉନ ଅବଧି ବଢାଯାଏ ତେବେ ଏହାର ପରିଣାମ ଲୋକଙ୍କୁ ଭୋଗିବାକୁ ପଡିବ । ଠାକରେ କହିଛନ୍ତି, ଲକଡାଉନର ଅବଧି ବଢିଲେ ଉଦ୍ୟୋଗ ଧନ୍ଦା ଠପ୍ ହୋଇଯିବ ଏବଂ ବେରୋଜଗାରୀ ବୃଦ୍ଧି ଘଟିବ । ଏହି ସମୟରେ ଦେଶରେ ଯେଉଁ ବିକଟ ସ୍ଥିତି ରହିଛି, ତାହା ୧୯୯୨ର ଦଙ୍ଗାରେ ଦେଖିବାକୁ ମିଳିଥିବା ସ୍ଥିତିଠୁ ମଧ୍ୟ ଦୟନୀୟ ରହିଛି ।
ରାଜ ଠାକରେ କହିଛନ୍ତି ଯେ, ସଂପ୍ରତି ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ଦୟନୀୟ ଥିବା ଦେଖିବାକୁ ମିଳିଛି । ଏହାର କାରଣ ଯେ କୌଣସି ବି ସରକାର ପୂର୍ବରୁ ସ୍ୱାସ୍ଥ୍ୟ ବଜେଟ୍ ହ୍ରାସ କରି ଚାଲିଥିଲେ, ଯାହାର ପରିଣାମ ଏବେ ଦେଖିବାକୁ ମିଳୁଛି । ହସ୍ପିଟାଲରେ ଆବଶ୍ୟକୀୟ ଚିକିତ୍ସା ଉପକରଣର ଘୋର ଅଭାବ ରହିଛି । ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ କର୍ମୀ ନାହାନ୍ତି ବୋଲି ସେ କହିଛନ୍ତି ।