ଯାଜପୁର– ଗତକାଲି ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଂଚଳର ନିଜାମୁଦ୍ଦିନ ଫେରନ୍ତା ଜନୈକ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଜଣାପଡିବା ପରେ ଆଜି ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ବ୍ରହ୍ମବରଦା ଅଂଚଳ ଓ ଏହାର ପାଶ୍ୱର୍ବର୍ତି ୩ କି.ମି. ବ୍ୟାସାର୍ଦ୍ଧକୁ ସିଲ୍ କରିବା ସହିତ ସମ୍ପୃକ୍ତ ଅଂଚଳକୁ ସଟ୍ ଡାଉନ୍ ଅଂଚଳ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଏଥି ସହିତ ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ କ୍ୱାରେଂଟାଇନରେ ପଠାଯାଇଛି । ଆକ୍ରାନ୍ତ ବ୍ୟକ୍ତି ଅନ୍ୟ କାହା ସଂସ୍ପର୍ଶରେ ଆସିଛନ୍ତି ସେଥିନିମନ୍ତେ ଏକ ଟିମ୍ ଗଠନ କରାଯାଇ ଅନୁସନ୍ଧାନ ଜାରୀ ରହିଛି ।
ଜିଲ୍ଲାପାଳ ଘଟଣାକୁ ଗୁରୁତ୍ୱର ସହ ନେଇ ଆଜି ରାତି ୮ଟା ଠାରୁ ଆସନ୍ତା ୬ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୪୮ ଘଂଟା ପାଇଁ ଯାଜପୁର ସହର, ବ୍ୟାସନଗର ପୌରାଚଂଳ, ଜିଲ୍ଲାର ପ୍ରମୁଖ ଅଂଚଳ ଯଥା ପାଣିକୋଇଲି ଚଣ୍ଡିଖୋଲ ବଜାର ଏବଂ ଜିଲ୍ଲାର ସମସ୍ତ ବ୍ଲକ ହେଡକ୍ୱାର୍ଟର ସହିତ ନେଉଳପୁର, ଚାରିନଙ୍ଗଳ, ସାଦକପୁର ଅଂଚଳକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।