ପିପିଲି– ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ପୁରୀ -ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥ କଡ଼ ମେଲଣ ପଡ଼ିଆରେ ସପ୍ତାହରେ ଦୁଇ ଥର ଚାଲୁଥିବା ସାତଶଙ୍ଖ ହାଟରେ ଆଜି କରୋନା ପ୍ରଭାବ ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୧୧ଟାରୁ ହାଟ ବନ୍ଦ କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଥିଲା । ଏପରିକି କେତେକ ବ୍ୟବସାୟୀଙ୍କୁ ସ୍ଥାନୀୟ ଫାଣ୍ଡି ପୋଲିସ ଲାଠିରେ ପିଟି ସେଠାରୁ ଘଉଡାଇ ଦେଇଥିଲା । ଦୀର୍ଘଦିନ ଧରି ଲକ୍ ଡାଉନ୍ ଜାରୀ ରହିଥିବାରୁ କାମ ଧନ୍ଦା ବନ୍ଦ ଥିବାରୁ ମଧ୍ୟବିତ, ଦିନମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାର ସାମର୍ଥ୍ୟ ହରାଇ ବସିଲେଣି । ଆଜି ହାଟରେ ଚାଷୀ ମାନେ ଖୁବ୍ କମ୍ ଦରରେ ସେମାନଙ୍କ ସମଗ୍ରୀ ବିକି ଚାଲି ଯାଉଥିବା ପରିଲକ୍ଷିତ ହୋଇଛି ।
ପନିପରିବା ଦର ଅନୁଯାୟୀ, ଆଳୁ କିଲୋ ପ୍ରତି ୨୦ ଟଙ୍କା, ପିଆଜ ୨୦, ବାଇଗଣ ୧୦ ଟଙ୍କା, ଟମାଟୋ ୧୦ ଟଙ୍କା, ବିନ୍ ୨୦ ଟଙ୍କା, କୁନ୍ଦୁରି ୨୦, ଝୁଡ଼ଙ୍ଗ ୪୦ ଟଙ୍କା, ପୋଟଳ ୧୦୦ ଟଙ୍କା, କଖାରୁ ୨୦ ଟଙ୍କା, ବନ୍ତଳ କଦଳୀ ଡ଼ଜନ ୫୦ ଟଙ୍କା, (ଫୁଲ ବନ୍ଧା)କୋବି ୧୦ ରୁ ୧୫ ଟଙ୍କା, ଗାଜର କେଜି ୨୦ ଟଙ୍କା, କଲରା ୪୦ ଟଙ୍କା, କାକୁଡ଼ି ୧୦ ଟଙ୍କା ରହିଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏହି ହାଟ ସାତଶଙ୍ଖ ବଜାର ପଛ ପାଶ୍ୱର୍ରେ ଚାଲୁଥିଲା । ସେଠାରେ ସ୍ଥାନ ସଂକୀର୍ଣ୍ଣ ଓ କରୋନା ଭୂତାଣୁ ସଂକ୍ରମଣର ଭୟ ଥିବାରୁ ପରବର୍ତି ସମୟରେ ପ୍ରଶାସନିକ ନିଷ୍ପତି କ୍ରମେ ହାଟକୁ ମେଲଣ ପଡ଼ିଆକୁ ସ୍ଥାନାନ୍ତରିତ କରାଯାଇଥିଲା ।